ଝାରସୁଗୁଡ଼ା ଅଫିସ, ୨୯।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋର ପଞ୍ଚାୟତ ସୀମାନ୍ତବର୍ତ୍ତୀ କୁହାକୁଣ୍ଡା ଗ୍ରାମରେ ଶୁକ୍ରବାର ଝାଡ଼ାବାନ୍ତିରେ ୧୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲଖନପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ଉମେଶ ଗୌଡ଼(୨୨)। ଖବରପାଇ ଶନିବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଡୋଲାମଣି ପଟେଲ, ବିଡିଓ ସଞ୍ଜୀବ ପଟେଲ ପ୍ରମୁଖ ଅଧିକାରୀମାନେ ଡାକ୍ତରୀ ଦଳ ସହ ଗ୍ରାମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ମୁଖ୍ୟ ଚିକିତ୍ସକ କହିଛନ୍ତି ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଗ୍ରାମର କେତେକ ବ୍ୟକ୍ତି ଆଲ୍ଲାହାବାଦ ଯାଇଥିଲେ । ସେଠାରେ ସେମାନେ ଆକ୍ରାନ୍ତ ହୋଇ ଗ୍ରାମକୁ ଫେରିଥିଲେ। ପରେ ଏହା ଗ୍ରାମରେ ବ୍ୟାପିଛି ବୋଲି ସିଡିଏମ୍ଓ ଡାକ୍ତର ପଟେଲ କହିଛନ୍ତି ।