ନବରଙ୍ଗପୁରରେ ବ୍ୟାପୁଛି ଝାଡାବାନ୍ତି: ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ପାପଡାହାଣ୍ଡି,୧୮।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡାବାନ୍ତି। ଗତ ଅଗଷ୍ଟ ମାସରେ ତୁଳସିପଦର ଓ ଗତ ସପ୍ତାହରେ ସୋରିଷପଦରରେ ଝାଡାବାନ୍ତି ଦେଖାଦେଇଥିଲା। ବର୍ତ୍ତମାନ ବ୍ଲକର ମାଝୀଗୁଡା ପଞ୍ଚାୟତ ଖଡ଼କାପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଗତ ୪ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ମଙ୍ଗଳବାର ସାଇବ ଯାନୀ, ମସୃ ଯାନୀ, ଶୁକ୍ରି ଯାନୀ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ରବିବାର ହାରାବତୀ ଯାନୀ ଓ ଦେଶୀ ଯାନୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଉଭୟଙ୍କୁ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ସୋମବାର ଜୟରାମ ଯାନୀ ଆକ୍ରାନ୍ତ ହୋଇ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ବିଷାକ୍ତ ଛତୁ ଖାଇ ଝାଡାବାନ୍ତି ହୋଇଥିବା ସନ୍ଦେହ କରାଯାଉଛି।

Share