ଗାଁ ଭୋଜିରେ ମାଂସ ଖାଇ ଦେଶୀମଦ ପିଇଥିବାରୁ ବ୍ୟାପିଛି ଝାଡ଼ାବାନ୍ତି: ଡାକ୍ତରୀ ଟିମ୍‌

ତୁମୁଡିବନ୍ଧ,୨୫ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହେ ହେଲା ଝାଡ଼ାବାନ୍ତିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି । ରବିବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ଓ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଆଉ ଏକ ସ୍ବାସ୍ଥ୍ୟଟିମ୍‌ ମିଶି ଝାଡ଼ାବାନ୍ତି ବ୍ୟାପିଥିବା ଗାଁ ଗୁଡିକରେ ପହଞ୍ଚି ଘର ଘର ବୁଲି ଚିକିତ୍ସା କରିବା ସହିତ କେଉଁ କାରଣରୁ ଝାଡ଼ାବାନ୍ତି ହୋଇଥିଲା ତାହା ପଚାରି ବୁଝିଥିଲେ। ଏଥିସହ କେତେଜଣ ଆକ୍ରାନ୍ତ ହୋଇଛନ୍ତି ଓ କାହାର ମୃତ୍ୟୁ ହୋଇଛି ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗାଁରେ ହୋଇଥିବା ଏକ ଭୋଜିରେ ଲୋକେ ମାଂସ ଖାଇ ଦେଶୀମଦ ପିଇଥିବା କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ବୋଲି ତଦନ୍ତରୁ ଜଣାପଡିଥିବା ଟିମ୍‌ ପ୍ରକାଶ କରିଛି। ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଅଭିଷେକ ନାୟକ କହିଛନ୍ତି, ଶନିବାରଠାରୁ ସ୍ବାସ୍ଥ୍ୟ ଟିମ ଚିକିତ୍ସା କରିବା ପରେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି। ତଦନ୍ତକାରୀ ଦଳର ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ, ଭୋଜି ମାଂସ ଖାଇବା ପରେ ଦେଶୀମଦ ପିଇ ଝାଡ଼ାବାନ୍ତରେ କେବଳ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅନ୍ୟାନ୍ୟ ରୋଗରେ ମୃତ୍ୟୁ ହୋଇଛି। ଶନିବାର ରାତିରେ ଆମ୍ବୁଲାନ୍ସ ଯୋଗେ ଘାଟିପଦର ଗ୍ରାମରୁ ୩ ଜଣ, ବରଗାଁରୁ ୨ ଓ ପୁଡେନପଦରରୁ ଜଣକୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା ଜାରି ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share