ରାୟଗଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି: ସପ୍ତାହେ ମଧ୍ୟରେ ଗଲାଣୀ ୨ ଜୀବନ

ରାୟଗଡ଼ା/ଟିକିରି,୨୭।୭(ଆଶିଷ ରଞ୍ଜନ ପଣ୍ଡା/ ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଗୋରଖପୁର ପଞ୍ଚାୟତ ଲାମ୍ବେରୀ ଗ୍ରାମରେ ୨ ଜଣ ଝାଡ଼ାବାନ୍ତିରେ ପ୍ରାଣ ହରାଇଛନ୍ତି। ଗାଁରୁ ୧୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ଗାଁର ଧନ ମାଝୀଙ୍କ ସ୍ତ୍ରୀ ତିଲେଇ(୫୦) ଏବଂ ବଳିଆ ମାଝିଙ୍କ ପୁଅ ଆନନ୍ଦ(୨୫)। ତିଲେଇଙ୍କର ୨୨ ତାରିଖରେ ଓ ଆନନ୍ଦଙ୍କର ଶନିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତୁରନ୍ତ ଗାଁକୁ ଡାକ୍ତରୀ ଟିମ୍‌ ପଠାଇବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସିଡିଏମ୍‌ଓ ଡ.ଲାଲମୋହନ ରାଉତରାୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କ ଚିକିତ୍ସା କରୁଛି।
ଗୋରଖପୁର ପୂର୍ବତନ ସମିତି ସଭ୍ୟ ଅନିଲ କୁମାର ନାଏକଙ୍କ କହିବାନୁସାରେ ଆନନ୍ଦଙ୍କର ଶୁକ୍ରବାର ଅଚାନକ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଡାକ୍ତରଖାନା ନେବା ପୂର୍ବରୁ ହିଁ ଶନିବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ତିଲେଇଙ୍କର ୨୦ ତାରିଖରେ ଝାଡ଼ାବାନ୍ତି ହୋଇଥିଲା। ଏହାର ୨ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଁରେ ଆହୁରି ୧୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅନିଲ ସୂଚନା ଦେଇଛନ୍ତି।
ଗୋରଖପୁରରୁ ୪ କି.ମି. ଦୂରରେ ରହିଥିବା ଏହି ଗ୍ରାମକୁ ପକ୍କାରାସ୍ତା ନାହିଁ। ଫଳରେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ। ଉପଯୁକ୍ତ ସମୟରେ ସ୍ବାସ୍ଥ୍ୟସେବା ମଧ୍ୟ ମିଳୁନାହିଁ। ତେଣୁ ଗମନାଗମନ ବ୍ୟବସ୍ଥା ସୁଧାରିବା ସହିତ ଲାମ୍ବେରୀ ଗାଁକୁ ସ୍ବାସ୍ଥ୍ୟସେବା ନିୟମିତ କରିବା ପାଇଁ ଅନିଲ ଦାବି କରିଛନ୍ତି। ଏନେଇ ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କୁ ପଚାରିବାରୁ ସିଡିଏମ୍‌ଓଙ୍କୁ ଲାମ୍ବେରୀ ଗାଁକୁ ସ୍ବାସ୍ଥ୍ୟ ଟିମ୍‌ ପଠାଇବାକୁ କୁହାଯାଇଛି। ରବିବାର ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି।
Share