୩ ଗ୍ରାମରେ ବ୍ୟାପୁଛି ଝାଡାବାନ୍ତି: ୫୦ରୁ ଅଧିକ ଆକ୍ରାନ୍ତ, ଜଣେ ମୃତ

ଝାରସୁଗୁଡା ଅଫିସ,୧୧/୮: ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଅନ୍ତର୍ଗତ ପିଥିଣ୍ଡା,ବାଦିମାଳ ଓ ଖୋଲଜାମକାନୀ ଗ୍ରାମରେ ଝାଡାବାନ୍ତିରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ବାଦିମାଲ ଗ୍ରାମର ପ୍ରିୟଙ୍କା ପ୍ରଧାନ(୨୦) ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ରାତିରେ ମୃତ୍ୟୁବରଣ କରିଛନ୍ତି। ଆକ୍ରାନ୍ତମାନେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସୀତ ହେଉଥିବା ଜଣାପଡିଛି। ଖବରପାଇ ଗ୍ରାମରେ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀ ଓ ଡାକ୍ତରୀଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପିଥିଣ୍ଡା ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗ୍ରାମରେ ସ୍ବାସ୍ଥ୍ୟକର୍ମୀମାନେ କ୍ୟାମ୍ପ୍‌ କରି ରହିଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସକ ଡା. ଡୋଲାମଣି ପଟେଲ କହିଛନ୍ତି, ବାଦିମାଲ ଗ୍ରାମର ଗୋଟିଏ ପରିବାର ଭୋଜି ଖାଇ ଝାଡା, ବାନ୍ତି ଆକ୍ରାନ୍ତ ହୋଇଥିଲେ। ଏହି ପରିବାରର ଜଣେ ଯୁବତୀ ଖାଦ୍ୟ ବିଷକ୍ରିୟା ଯୋଗୁ ମୃତ୍ୟୁବରଣ କରିଛନ୍ତି।