ଟର୍ଲିଆମ ଗାଁରେ ଝାଡ଼ାବାନ୍ତି: ଆଣ୍ଠୁଏ ପାଣିରେ ନାଳ ପାର ହୋଇ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

କୋକସରା,୨୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଦୁର୍ଗମ ଅଞ୍ଚଳରେ ଥିବା ଟର୍ଲିଆମ ଗାଁର କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ମେଡିକାଲ୍‌ ଟିମ୍‌ ସହ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବାରୁ ସ୍ଥିତିରେ ସୁଧାର ଆସିଥିଲା।
ଖବରପାଇ ସ୍ଥିତି ଅନୁଧ୍ୟାନ କରିବାକୁ ସୋମବାର ଧର୍ମଗଡ଼ ଉପ ଜିଲାପାଳ ପି. ସଚିନ ପ୍ରକାଶ, କୋକସରା ତହସିଲଦାର ରାକେଶ ପରୁଆ, ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଫନିନ୍ଦ୍ର ଅର୍କ , ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଶୁଭେନ୍ଦୁ ପଣ୍ଡା, କୃଷ୍ଣ କାଣ୍ଡ, କ୍ଷୀରୋଦ ବାଗ ଓ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ଜଙ୍ଗଲି ରାସ୍ତାରେ ପ୍ରାୟ ୩ କିଲୋମିଟର ଚାଲି ଚାଲି ପହଞ୍ଚିଥିଲେ। ନାଳରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବା ବେଳେ ଏହାକୁ ପାର କରି ସେମାନେ ଯାଇଥିବା ଦେଖିବାକୁ ମିଳିଥିଲା। ପରେ ସେମାନେ ଗାଁ ପରିବେଶ ସହ ଆକ୍ରାନ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଅନୁଧ୍ୟାନ କରି ଜାଣିଥିଲେ। ଲୋକଙ୍କୁ ସଚେତନ କରାଇବା ସହ ବିଶୁଦ୍ଧ ପାନୀୟ ଜଳ ପିଇବାକୁ ପ୍ରଶାସନିକ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।

Share