ଦିବାକର ମହାନ୍ତି, ନନ୍ଦକିଶୋର ସିଂହ ପାଇବେ ଭଜନସମ୍ରାଟ ଭିକାରୀ ବଳ ସ୍ମୃତି ସମ୍ମାନ

କଟକ ଅଫିସ, ୧୬।୫: ସଙ୍ଗୀତଜ୍ଞ ଦିବାକର ମହାନ୍ତି ଓ ଗୀତିକାର ନନ୍ଦକିଶୋର ସିଂହ ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ସମ୍ମାନ-୨୦୨୩ ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶାର ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀ ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀ ଉତ୍ସବ ଆସନ୍ତା ୨୫ ତାରିଖରେ କଟକ ଶତାବ୍ଦୀଭବନରେ ପାଳନ କରାଯିବ। ଉକ୍ତ ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ସଙ୍ଗୀତଜ୍ଞ ମହାନ୍ତି ଓ ଗୀତିକାର ସିଂହଙ୍କୁ ଭଜନସମ୍ରାଟ ଭିକାରୀ ବଳ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ସଙ୍ଗୀତଜ୍ଞ ମହାନ୍ତି ୧୯୭୧ ମସିହାରୁ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଛନ୍ତି। ତାଙ୍କ କଣ୍ଠରୁ ‘ବନ୍ଦଶ୍ରୀ ବଳଦେବ ରୋହିଣୀ ନନ୍ଦନ…’, ‘ବଡ଼ଦାଣ୍ଡେ ଚାଲେ ତୁମ ନନ୍ଦିଘୋଷ ରଥ…’ ପ୍ରଭୃତି ଗୀତ ଲୋକପ୍ରିୟ ହୋଇପାରିଛି। ସେହିପରି ଗୀତିକାର ସିଂହ ୧୯୬୩ ମସିହାରୁ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର। ତାଙ୍କ ଲିଖିତ ଓ ଭିକାରୀ ବଳଙ୍କ କଣ୍ଠରେ ଗାୟନ କରାଯାଇଥିବା ଆଧୁନିକ ଗୀତ ‘ବସନ୍ତ ଲେଖିଛି ଚିଠି ଗୋଲାପି ଗୋଲାପି…’, ‘ସଜ ସକାଳର ଶେଫାଳି ଗୋତୁମେ ରାତ୍ରିର ରଜନୀଗନ୍ଧା…’ ପ୍ରଭୃତି ବେଶ୍‌ ଆଦୃତି ଲାଭ କରିଛି। ଭିକାରୀ ବଳଙ୍କ ଜୟନ୍ତୀ ଉତ୍ସବରେ ଉଭୟଙ୍କୁ ଅଙ୍ଗବସ୍ତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭକ୍ତିସଙ୍ଗୀତ ପରିବେଷଣ କରାଯିବ ବୋଲି ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ସଂସଦର ସମ୍ପାଦକ ଡ. ସୁନାମଣି ରାଉତ ସୋମବାର ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି।