କେନ୍ଦୁଝର,୧୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)ରାଜ୍ୟ ସରକାର ଦିବ୍ୟାଙ୍ଗମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ମଧ୍ୟ ଡିଏମ୍ଏଫ୍ ଅନୁଦାନରେ ମାଗଣା ଟ୍ରାଇ ସାଇକେଲ, ବ୍ୟାଟେରିଚାଳିତ ସାଇକେଲ ତଥା ଟ୍ରାଇ ସ୍କୁଟର ପ୍ରଦାନ କରୁଛନ୍ତି। ମାତ୍ର ପାଟଣା ବ୍ଲକ୍ର ରୁଢ଼ିଆପଡ଼ାର ୨ ପାଦ ଓ ଏକ ପାପୁଲି ନ ଥିବା ଅଜୟ କୁମାର ଦାସ ପ୍ରଶାସନିକ ଯୋଜନାରୁ ବଞ୍ଚତ୍ତ ରହିଛନ୍ତି। ଟ୍ରାଇ ସାଇକେଲ ପାଇଁ ବ୍ଲକ୍ରେ ପୂର୍ବରୁ ଆବେଦନ କରିଥିଲେ ହେଁ ତାଙ୍କୁ ମିଳିପାରିନାହିଁ।
ଅଜୟ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସ୍ଥାନୀୟ ଧରଣୀଧର ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ବର୍ଷ କଳାରେ ଅଧ୍ୟୟନ କରୁଛନ୍ତି। ଅର୍ଥ ଅଭାବରୁ ଟ୍ରାଇ ସ୍କୁଟର କିମ୍ବା ବ୍ୟାଟେରିଚାଳିତ ସାଇକେଲ କିଣିପାରୁନାହାନ୍ତି। ସେ ସଦର ବ୍ଲକ୍ ଚକ ଗ୍ରାମରେ ତାଙ୍କ ନାନୀ ଘରେ ରହୁଛନ୍ତି। ଜନ୍ମରୁ ଅଜୟଙ୍କ ୨ଗୋଡ଼ର ପାଦ ଏବଂ ବାମ ହାତ ଅଧାରୁ ନାହିଁ। ତଥାପି ସେ ହାର ମାନିନାହାନ୍ତି। ନାନୀଙ୍କ ଘରୁ ବହୁ କଷ୍ଟରେ ସାଇକେଲରେ ପ୍ରାୟ ୧୦ କି.ମି. ଯିବା ଆସିବା କରି ପାଠ ପଢୁଥିବା କହିଛନ୍ତି। ଅଜୟଙ୍କ ବାପା ମାନବ ଦାସ ରାଜମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବା ବେଳେ ରୋଗଗ୍ରସ୍ତ ହୋଇ ପଡ଼ିଥିବାରୁ ୫ ବର୍ଷ ହେଲା କାମଧନ୍ଦା କରି ପାରୁନାହାନ୍ତି। ମା’ ଇନ୍ଦ୍ରାରାଣୀ ଦାସ ଘରେ ରହି ତାଙ୍କ ଦେଖାରଖା କରିଥାନ୍ତି। ଭାଇ ସଞ୍ଜୟ ପୁରୀରେ ଏକ ଫାର୍ମରେ ଠିକା ଶ୍ରମିକ ଭାବରେ କାମ କରୁଛନ୍ତି। ମହଙ୍ଗା ଯୁଗରେ ତାଙ୍କୁ ମିଳୁଥିବା ଭିନ୍ନକ୍ଷମ ଭତ୍ତା ବାବଦରେ ୫ ଶହ ଟଙ୍କା ନିଅଣ୍ଟ ପଡ଼ୁଛି। ଉଚ୍ଚଶିକ୍ଷା ଲାଭକରି ଚାକିରିଟିଏ କରି ପରିବାରର ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରିବାକୁ ଆଶା ରଖିଛନ୍ତି। କଲେଜ ଯିବା ଆସିବା ପାଇଁ ବ୍ୟାଟେରିଚାଳିତ ଗାଡ଼ି ଖଣ୍ଡେ ମିଳିଲେ ସୁବିଧାରେ କଲେଜ ଯାଇପାରନ୍ତେ ବୋଲି ସେ କହିଛନ୍ତି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ ସାମନ୍ତରାୟ କହିଛନ୍ତି, ଭିନ୍ନକ୍ଷମଙ୍କ ପାଇଁ ସରକାର ଭତ୍ତା ଦେବା ସହ ସ୍ବାବଲମ୍ବୀ ହେବାକୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ ଅନ୍ଲାଇନରେ ଆବେଦନ କରିବାକୁ ପଡ଼ିବ। ଏଥିସହ ବିଭିନ୍ନ ଅଞ୍ଚଳରେ ହେଉଥିବା ଶିବିରରେ ମଧ୍ୟ ଆବେଦନ କରିପାରିବେ।