ଖୋଜାପଡ଼ିଲା ଡିବିରି, ଲଣ୍ଠନ

ନିଶ୍ଚିନ୍ତକୋଇଲି,୨୬ା୫: ଡିଜିଟାଲ ଯୁଗରେ ଅଲୋଡ଼ା ହୋଇପଡ଼ିଥିବା ଡିବିରି, ଲଣ୍ଠନ, ଚେମେଣି ଓ ମହମବତି ଏବେ ପୁଣି ଖୋଜା ପଡିଛି। ବାତ୍ୟା ‘ୟାସ’ ପ୍ରଭାବରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଆଶଙ୍କାରେ ଏସବୁ ପାରମ୍ପରିକ ସାମଗ୍ରୀକୁ ଲୋକେ ପୁଣି ଏକତ୍ରିତ କରୁଛନ୍ତି। ବାତ୍ୟା ଆସିଲେ ଲୋକମାନଙ୍କ ଏସବୁ ଅଲୋଡା ଜିନିଷ କଥା ମନେ ପଡ଼େ। ଏବେ ବାତ୍ୟା ପାଇଁ ବିଶେଷ କରି ଘରର ଗୃହିଣୀମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳୁଛି। ପୂର୍ବରୁ ଅନେକ ସମୟରେ ବିଦ୍ୟୁତ୍‌ କଟ୍‌ ହେବା ପରେ ଏସବୁର ଆବଶ୍ୟକ ହେଉଥିଲା। ମାତ୍ର ଜେନେରେଟର ଓ ଇନଭର୍ଟର ଆଦି ବଜାରକୁ ଆସିବା ଏହାର ବ୍ୟବାହାର ବହୁଳ ମାତ୍ରାରେ କମିଯାଇଥିଲା। କିନ୍ତୁ ବାତ୍ୟା ସମୟରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିବା ଓ ତାର ଛିଣ୍ଡିବା ଭଳି ଘଟଣା ଅତି ସାଧାରଣ। ଫଳରେ ବହୁ ସମୟ ଧରି ବିଦ୍ୟୁତ୍‌ ସରବରାହ ଆଦି ବିଚ୍ଛିନ୍ନ ହେବାର ନଜୀର ପୂର୍ବରୁ ରହିଛି। ଏହି ସମୟରେ ଜେନେରେଟର ଓ ଇନଭର୍ଟର ଆଦି ଅଧିକ ସମୟ ପାଇଁ ଲୋକଙ୍କ ଆବଶ୍ୟକତା ପୂରଣ କରି ପାରି ନ ଥାଏ। ଏବେ ଆସନ୍ନ ବାତ୍ୟାକୁ ଆଖି ଆଗରେ ରଖି ନିଶ୍ଚନ୍ତକୋଇଲି ବ୍ଲକରେ କିଏ ପୂର୍ବରୁ ସୁରକ୍ଷିତ କରି ରଖିଥିବା ଡିବିରି, ଲଣ୍ଠନ ଓ ଚେମେଣିକୁ ମରାମତି କରୁଛି ଆଉ କିଏ ସେଥିରେ କିରୋସିନି ଭରି ପ୍ରସ୍ତୁତ କରି ରଖୁଛି। ଫଳରେ ବିଭିନ୍ନ ଦୋକାନରେ ବିକ୍ରି ହୋଇ ନ ପାରି ପଡ଼ି ରହିଥିବା ଡିବିରି, ଲଣ୍ଠନ ଓ ମହମବତି ଆଦି ସାମଗ୍ରୀର ଚାହିଦା ବଢ଼ିଯାଇଛି। ବ୍ୟବସାୟୀମାନେ ଏସବୁ ବିକ୍ରି କରି ପୁରୁଣା ଷ୍ଟକ ଖାଲି କରିପାରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି।

ଅଶୋକ କୁମାର ମହାପାତ୍ର

Share