ଜୀବନ୍ତ ଜଳିଗଲେ ଦିବ୍ୟାଙ୍ଗ ଯୁବତୀ

କଟକ ଅଫିସ ,୧୨/୭: କଟକ ସୂତାହାଟ ଅଞ୍ଚଳର ଖ୍ରୀଷ୍ଟିଆନ ସାହିରେ ସୋମବାର ରାତିରେ ଅଗ୍ନିକାଣ୍ଡରେ ଜଣେ ଦିବ୍ୟାଙ୍ଗ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତା ହେଲେ ୨୧ ବର୍ଷୀୟା ଲତିଫା ଶେଖ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏ ନେଇ ଲାଲବାଗ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସୂତାହାଟ ଅଞ୍ଚଳର ଏକ ତିନି ମହଲା କୋଠାର ଦ୍ବିତୀୟ ମହଲାରେ ସେକ୍‌ ସାଜିଦ ଅଲ୍ଲୀ ପରିବାର ସହ ରୁହନ୍ତି। ସନ୍ଧ୍ୟାରେ ସାଜିଦ୍‌ ନିଜ ଦୋକାନରେ ଥିବାବେଳେ ତାଙ୍କ ସ୍ତ୍ରୀ କୌଣସି କାର୍ଯ୍ୟରେ ସିଡିଏ ଅଞ୍ଚଳକୁ ଯାଇଥିଲେ। ଘରେ ଦିବ୍ୟାଙ୍ଗ ଝିଅ ଲତିଫା ଏକାକୀ ଥିଲେ। ରାତି ପ୍ରାୟ ସାଢେ ୮ଟାରେ ତାଙ୍କ ଘର ଝରକା ପଟୁ ନିଆଁ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ସାଜିଦ୍‌ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପ୍ରଥମେ ବକ୍ସିବଜାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଏହାପରେ ୨ଟି ଦମକଳ ଗାଡ଼ି ସହ ବିଡ଼ାନାସୀ ଅଗ୍ନିଶମ ବାହିନୀ ପହଞ୍ଚତ୍ଥିଲେ। ନିଆଁର ଅତ୍ୟଧିକ ପ୍ରକୋପ ଯୋଗୁ ଦମକଳ ବାହିନୀ ଘର ମଧ୍ୟକୁ ପ୍ରବେଶ କରି ପାରି ନ ଥିଲେ। ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ସେତେବେଳକୁ ଘର ଭିତରେ ଥିବା ଲତିଫା ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଲାଲବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଏସ୍‌ସିବି ମେଡିକାଲକୁ ପଠାଇଥିଲା।