୩୫ ଦିନ ଧରି ଏକଛତ୍ରବାଦୀ ଶାସକ କିମ୍‌ ନିଖୋଜ, ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା…

ପ୍ୟୋଙ୍ଗୟାଙ୍ଗ,୭।୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ନିଖୋଜ ହୋଇଯାଇଛନ୍ତି। ଖବର ମୁତାବକ ଦେଶରେ ହେବାକୁଥିବା ସାମରିକ ପରେଡ ପୂର୍ବରୁ କିମଙ୍କ ଆଉ ଦେଖା ଦର୍ଶନ ମିଳୁନି। ଚଳିତ ସପ୍ତାହରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଏକ ସାମରିକ ପରେଡ ଅନୁଷ୍ଠିତ ହେବ। କିମ ଜୋଙ୍ଗ ଏଥିରେ ଯୋଗଦେବାର ଥିଲା, କିନ୍ତୁ ସେ ଗତ ୩୫ ଦିନ ଧରି କାହାକୁ ଦେଖା ଦେଉ ନାହାନ୍ତି।

ଦକ୍ଷିଣ କୋରିଆର ନ୍ୟୁଜ ଚ୍ୟାନେଲ ଏନକେ ନ୍ୟୁଜ ଅନୁସାରେ ଫକ୍ସ ନ୍ୟୁଜ ରିପୋର୍ଟ କରିଛି ଯେ କିମ ରବିବାର ଅନୁଷ୍ଠିତ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ବୈଠକରେ ମଧ୍ୟ ଯୋଗ ଦେଇନାହାଁନ୍ତି। ଏହା ହେଉଛି ତୃତୀୟ ଥର କିମ ଜୋଙ୍ଗ ଉନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିଛନ୍ତି। ଏଭଳି ପରିସ୍ଥିତିରେ ଏବେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ହେଉଛି।

 

ଫେବୃଆରୀ ୮ ରେ କୋରିଆ ପିପୁଲ୍ସ ଆର୍ମି ପ୍ରତିଷ୍ଠା ହେବାର ୭୫ ତମ ବାର୍ଷିକୀ ପାଳନ କରାଯିବ। ଏହି ଦିନ ଦେଶରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବ। ବର୍ତ୍ତମାନ କିମ ଏହି ପ୍ୟାରେଡରେ ଯୋଗଦେବେ କି ନାହିଁ ଆଲୋଚନା ହେଉଛି? ଦକ୍ଷିଣ କୋରିଆ ଗଣମାଧ୍ୟମ କହୁଛି କିମ ଅସୁସ୍ଥ ଅଛନ୍ତି।
ତେବେ କିଛି ରିପୋର୍ଟ ଅନୁଯାୟୀ କିମ ଆୟୋଜିତ ହେବାକୁ ଥିବା ସାମରିକ ପରେଡରେ ଯୋଗ ଦେଇପାରନ୍ତି। ତାଙ୍କ ଅନୁପସ୍ଥିତି ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦେଇ ନ ଥିବାରୁ ଏହି ଦାବି କରାଯାଉଛି। ଏହି ପ୍ୟାରେଡ ସହିତ କିମ ନିଜର ପରମାଣୁ କ୍ଷମତା ଆମେରିକା ଏବଂ ଏସିଆର ଅନ୍ୟ ସହଯୋଗୀମାନଙ୍କୁ ଦେଖାଇବ। ଫକ୍ସ ନ୍ୟୁଜ ଅନୁଯାୟୀ ଗତ ସପ୍ତାହରେ ଉତ୍ତର କୋରିଆ ଆମେରିକାର ସୈନ୍ୟବାହିନୀକୁ ସବୁଠାରୁ ଆଣବିକ ଶକ୍ତି ପ୍ରୟୋଗର କରିବାକୁ ଧମକ ଦେଇଥିଲା।
୨୦୨୨ ମସିହାରେ ଉତ୍ତର କୋରିଆ ୭୦ ରୁ ଅଧିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି, ଯେଉଁଥିରେ ପରମାଣୁ ସକ୍ଷମ କ୍ଷେପଣାସ୍ତ୍ର ମଧ୍ୟ ଅଛି। ଖବର ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଗୁଡିକ ଦକ୍ଷିଣ କୋରିଆରେ ଟାର୍ଗେଟ ଉପରେ ଆକ୍ରମଣ କରିବା କିମ୍ବା ଆମେରିକାର ମଧ୍ୟଭାଗରେ ପହଞ୍ଚିବା ପାଇଁ ଡିଜାଇନ କରାଯାଇଛି। ଏହି କାରଣରୁ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ କିମଙ୍କ ସାମରିକ ଅପରେଶନ ଉପରେ କ୍ରମାଗତ ପ୍ରଶ୍ନ କରୁଛନ୍ତି।

ସୂଚନାଯୋଗ୍ୟ,୨୦୧୪ରେ, କିମ ୪୦ ଦିନ ପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ସ୍ଥାନରେ ଦେଖାଯାଇ ନ ଥିଲେ। ୨୦୨୧ ବର୍ଷର ଶେଷ ଭାଗରେ ମଧ୍ୟ କିମଙ୍କୁ ପ୍ରାୟ ୩୦ ଦିନ ପାଇଁ ଦେଖିବାକୁ ମିଳି ନ ଥିଲା। ମେ ୨୦୨୧ ଏବଂ ଏପ୍ରିଲ ୨୦୨୦ ରେ କିମ ଜୋଙ୍ଗ ଦୀର୍ଘ ସମୟ ଧରି ନିଖୋଜ ଥିଲେ। ତେଣୁ ତାଙ୍କ ଅସୁସ୍ଥତା ବିଷୟରେ କଳ୍ପନାଜଳ୍ପନା କରାଯାଉଥିଲା।

Share