ଗୋଟିଏ ଟୁଇଟ୍‌ରେ ୧ ଲକ୍ଷ ଟଙ୍କା ସହାୟତା କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଶଂସକଙ୍କ ସହାୟତା କରି ଚର୍ଚ୍ଚାରେ ଟଲିଉଡ୍‌ ବିଉଟି କାଜଲ ଅଗ୍ରଓ୍ବାଲ। ସେ ଜଣେ ଯୁବତୀଙ୍କ ପାଠପଢ଼ା ନିମନ୍ତେ ଏକ ଲକ୍ଷ ଟଙ୍କା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ମହତ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି।

ହାଇଦ୍ରାବାଦର ସୁମା ନାମକ ଜଣେ ଯୁବତୀ ଟୁଇଟରରେ କାଜଲଙ୍କୁ ସହାୟତା ମାଗିଥିଲେ। ନିକଟରେ ସେ ଚାକିରି ହରାଇଛନ୍ତି। ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ଫଳରେ ପାଠପଢ଼ା ଖର୍ଚ୍ଚ ୮୩ହଜାର ଟଙ୍କା ସେ କିଭଳି ଦେବେ ତାହା ଭାବି ପାରୁନାହାନ୍ତି ବୋଲି ଅଭିନେତ୍ରୀଙ୍କୁ କହିଥିଲେ।

ସୋସିଆଲ ମିଡିଆରେ ସକ୍ରିୟ ଥିବା କାଜଲ ନିଜ ପ୍ରଶଂସକଙ୍କ ଏଭଳି ଗୁହାରି ଶୁଣି ସହାୟତାର ହାତ ବଢ଼ାଇଥିଲେ। ସେ ନିଜ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ଯୁବତୀଜଣଙ୍କ ଟଙ୍କା ନେଣଦେଣର ଏକ ସ୍କ୍ରିନଶଟ୍‌କୁ ଶେୟାର କରି ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ଭାଇରାଲ ହେବା ସହ କାଜଲଙ୍କ ପ୍ରଶଂସା କରାଯାଉଛି। ସେଲିବ୍ରିଟି ହେଲେ ହେଁ ଅନ୍ୟର ସହାୟତା କରିବାକୁ ଆଗକୁ ଆସିଥିବାରୁ ତାଙ୍କୁ ହୃଦୟବାନ ବୋଲି ଅନେକ ଅବିହିତ କରୁଛନ୍ତି।

Share