Categories: ଜାତୀୟ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ୫୭ବର୍ଷ ପୂର୍ବରୁ ଡାକ ଟିକେଟରେ ଲେଖାଯାଇଥିଲା ସମୟ!

ନୂଆଦିଲ୍ଲୀ,୧୭।୧: ରାମ ମନ୍ଦିରକୁ ନେଇ ନିକଟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ତାରିଖ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଆଶା ଉଦ୍ଦୀପନା ସେତିକି ବୃଦ୍ଧି ପାଉଛି। ଏହାରି ଭିତରେ ନେପାଳର ଏକ ଡାକ ଟିକେଟ ଭାଇରାଲ ହେବାରେ ଲାଗିଛି। ୫୦ବର୍ଷରୁ ଉର୍ଦ୍ଧ ଏହି ଟିକେଟ୍‌ରେ ରାମ ମନ୍ଦିର କେବେ ପ୍ରତିଷ୍ଠା ହେବ ତାହା ଉଲ୍ଲେଖ କରାଯାଇଛି। ଯାହା ସମସ୍ତଙ୍କୁ ତାଜୁବ କରିଛି।

ଭାଇରାଲ ଡାକ ଟିକେଟଟି ୧୯୬୭ରେ ଜାରି କରାଯାଇଥିଲା। ଏଥିରେ ୨୦୨୪ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ବୋଲି ଲେଖା ଅଛି। ଅର୍ଥାତ୍‌ ୫୭ବର୍ଷ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ହେବ ବୋଲି ଦିନ ଧାର୍ଯ୍ୟ ଥିଲା। ଏହି ଟିକେଟ୍‌ ବର୍ତ୍ତମାନ ଲକ୍ଷ୍ନୌର ଅଶୋକ କୁମାରଙ୍କ ପାଖରେ ଅଛି। ଅଶୋକଙ୍କ ‘ଦି ଲିଟିଲ ମ୍ୟୁଜିୟମ’ରେ ଏହି ଟିକେଟ ରହିଛି।

ଏନେଇ ଅଶୋକ କହିଛନ୍ତି, ଏହି ଡାକ ଟିକେଟ ୧୯୬୭ ଏପ୍ରିଲ ୧୮ରେ ଜାରି କରାଯାଇଥିଲା। ଏହି ଟିକେଟ୍‌ ସେତେବେଳେ ୧୫ପଇସାର ଥିଲା। ଡାକ ଟିକେଟ୍‌ରେ ଶ୍ରୀରାମଙ୍କୁ ଧନୁତୀର ସହ ଦେଖିବାକୁ ମିଳିଛି। ଏହି ଟିକେଟକୁ ଜଣେ ବ୍ୟକ୍ତିଙ୍କ ଠାରୁ କିଣିଥିଲି।
ଭାଇରାଲ ନେପାଳୀ ଡାକ ଟିକେଟରେ ରାମ ନବମୀ ୨୦୨୪ ଲେଖା ଅଛି । ତାହା ଇଂରାଜୀ କ୍ୟାଲେଣ୍ଡର ନୁହେଁ, ବରଂ ବିକ୍ରମ ସଂବତ କ୍ୟାଲେଣ୍ଡର ଅନୁଯାୟୀ ତାରିଖ ଲେଖା ଅଛି । ବିକ୍ରମ ସଂବତ କ୍ୟାଲେଣ୍ଡର ଇଂରାଜୀ କ୍ୟାଲେଣ୍ଡରଠାରୁ ୫୭ ବର୍ଷ ଆଗୁଆ ଚାଲିଥାଏ ବୋଲି ଅଶୋକ କହିଛନ୍ତି।

Share