ବିଞ୍ଝାରପୁର,୨୨ା୭(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକରେ ପ୍ରହସନ ପାଲଟିଛି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ। ମାସମାସ ଧରି ବିଦ୍ୟାଳୟକୁ ଆସୁନି ମଧ୍ୟାହ୍ନଭୋଜନ ବାବଦ ଅନୁଦାନ। ଫଳରେ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଇ ଦୋକାନୀଙ୍କ ନିକଟରେ ବନ୍ଧା ପଡ଼ିଛନ୍ତି ପ୍ରଧାନଶିକ୍ଷୟିତ୍ରୀ,ଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ବ୍ଲକର ବିଭିନ୍ନ ସ୍କୁଲରେ, ଯାହାକୁ ନେଇ ଶିକ୍ଷୟିତ୍ରୀଶିକ୍ଷକ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।
କରୋନା ଯୋଗୁ ଦୀର୍ଘଦିନ ବିଦ୍ୟାଳୟ ବନ୍ଦ ରହିଲାପରେ ଏପ୍ରିଲ ପହିଲାରୁ ଖୋଲିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି। କିନ୍ତୁ ବାସ୍ତବ ପକ୍ଷେ ଏହି ଯୋଜନା ପାଇଁ ଅର୍ଥ ଆସୁ ନ ଥିବା ବିଭିନ୍ନ ସ୍କୁଲର ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏତେଦିନ ଧରି ମଧ୍ୟାହ୍ନଭୋଜନ ଅନୁଦାନ ଆସୁ ନ ଥିବାରୁ ଦୋକାନୀମାନେ ଆଉ ଉଧାର ଦେବାକୁ ଚାହୁନାହାନ୍ତି। ଫଳରେ ମଧ୍ୟାହ୍ନଭୋଜନ ଏକପ୍ରକାର ବନ୍ଦ ହେବାକୁ ବସିଲାଣି। ସେହିପରି ବରୀ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଅଙ୍ଗାଳୋ ଓ ମଧୁସୂଦନପୁର ପଞ୍ଚାୟତର ବିଭିନ୍ନ ସ୍କୁଲରେ ମଧ୍ୟ ୪ ମାସ ହେଲା ମଧ୍ୟାହ୍ନଭୋଜନ ଅର୍ଥ ମିଳି ନ ଥିବା ଶିକ୍ଷୟିତ୍ରୀଶିକ୍ଷକମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ମଧ୍ୟାହ୍ନଭୋଜନ ବବାଦ ଅର୍ଥ ପ୍ରଦାନ କରା ନ ଗଲେ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନରୁ ବଞ୍ଚିତ ରହିବେ ବୋଲି କେତେଜଣ ଶିକ୍ଷକ ରୋକଠୋକ ଶୁଣାଇଛନ୍ତି। ଏ ସମ୍ପର୍କରେ ବିଞ୍ଝାରପୁର ବ୍ଲକ ଶିକ୍ଷା ଅଧିକାରୀ ମହମ୍ମଦ ହୁମାୟୁନଙ୍କୁ ପଚାରିବାରୁ ସେ କହିଛନ୍ତି, ମଧ୍ୟାହ୍ନଭୋଜନ ବାବଦ ଅର୍ଥ ଆସିନାହିଁ। ଆସିଲେ ତୁରନ୍ତ ଯୋଗାଇ ଦିଆଯିବ।