Categories: ଫୁରସତ

ଚା’ ପିଇ ୭୬ ବର୍ଷ

କୋଲକାତା: ସୁସ୍ଥ ଶରୀର ପାଇଁ ପୋଷକତତ୍ତ୍ୱର ଆବଶ୍ୟକତା ରହିଛି। ଶରୀର ପାଇଁ ଜରୁରୀ ଭିଟାମିନ୍‌ ସବୁ ଖାଦ୍ୟରୁ ମିଳିଥାଏ। ପଶ୍ଚିମବଙ୍ଗର ଜଣେ ମହିଳା ବିନା ଖାଦ୍ୟରେ ୭୬ ବର୍ଷ କାଟିସାରିଛନ୍ତି। ହୁଗଳି ଜିଲା ବେଲଡିହ ଗ୍ରାମରେ ଅନୀମା ଚକ୍ରବର୍ତ୍ତୀଙ୍କ ଘର। କେବଳ ଚା’ ଏବଂ ହେଲ୍‌ଦି ଡ୍ରିଙ୍କ ପିଇ ସେ ଏତେଗୁଡ଼ାଏ ଦିନ କାଟି ସାରିଲେଣି। ପାଖାପାଖି ୫୦ ବର୍ଷ ହେବ ଅନୀମା ସମ୍ପୂର୍ଣ୍ଣ ଭାବେ ଖାଦ୍ୟ ଛାଡ଼ିଦେଇ କେବଳ ପାନୀୟ ଦ୍ରବ୍ୟକୁ ଗ୍ରହଣ କରୁଛନ୍ତି। ପୂର୍ବରୁ ଅନୀମାଙ୍କ ଘରର ଆର୍ଥିକ ସ୍ଥିତି ସେତେ ଭଲ ନ ଥିଲା। ଅନ୍ୟଘରେ କାମ କରି ସେ ଘର ଚଳାଉଥିଲେ। ଯେଉଁମାନଙ୍କ ଘରେ ଅନୀମା କାମ କରନ୍ତି ସେଠାରୁ ଯେଉଁ ବଳକା ଖାଦ୍ୟ ସେ ଆଣନ୍ତି ତାକୁ ପିଲାମାନଙ୍କ ମଧ୍ୟରେ ବାଣ୍ଠି ଦେଲାପରେ ତାଙ୍କ ପାଇଁ ଆଉ କିଛି ନ ଥାଏ। ଅନେକ ଦିନ ଧରି ଅନୀମା ପାଣି, ଚା’ ପିଇ ରହିଯାଉଥିଲେ। ସେତେବେଳର ଅଭ୍ୟାସ ଏ ପର୍ଯ୍ୟନ୍ତ ସେ ଛାଡ଼ି ପାରି ନ ଥିବା ଅନୀମାଙ୍କ ପୁଅ କହିଛନ୍ତି। ମଣିଷ ଜୀବତ ରହିବାକୁ ହେଲେ, ଶକ୍ତର ଆବଶ୍ୟକତା ରହିଛି। ଏହି ଶକ୍ତି ଆମକୁ ଖାଦ୍ୟରୁ ହିଁ ମିଳିଥାଏ ବୋଲି ହୁଗଲିର ଜଣେ ଡାକ୍ତର ବିଲ୍ଲେଶ୍ୱର ବଲ୍ଲାଭ କହିଛନ୍ତି। ଖାଦ୍ୟ ବଦଳରେ ଅନୀମା ଯେଉଁ ଚା’ ଓ ହେଲ୍‌ଦି ଡ୍ରିଙ୍କ୍‌ ପିଉଛନ୍ତି ସେଥିରୁ ତାଙ୍କ ଶରୀରକୁ ପୋଷକତତ୍ତ୍ୱ ମିଳୁଛି। ଯେଉଁ କାରଣରୁ ସେ ଖାଦ୍ୟ ନ ଖାଇ ମଧ୍ୟ ସୁସ୍ଥ ରହିଥିବା ବଲ୍ଲାଭ କହିଛନ୍ତି।

Share