ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର ଅନିମେଶ ଜେନା ଓରଫ କାହ୍ନା ବୋଲି ଜଣାପଡିଛି।

ଖବର ପାଇ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହୟତାରେ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସିବି ମେଡିକାଲକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଅନିମେଶ ସୋମବାର ରାତିରେ କାର ଧରି ଘରୁ କୌଣସି ଏକ କାମରେ ବାହାରକୁ ଯାଇଥିଲେ। ହେଲେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏପରିକି ତାଙ୍କ ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ବେଳେ କେନାଲରେ ଏକ କାର ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଗ୍ନିଶମ ବାହିନୀ ସହଯୋଗରେ କେନାରୁ ଅନିମେଶଙ୍କ ମୃତଦେହ ଉଦ୍ଧାର କରିଥିଲା।

Share