ମୁମ୍ବାଇ,୧୫।୪ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶନିବାର ଏଠାରେ ଏକ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ସେ ତାଙ୍କ ୨୦୧୪ ନିର୍ବାଚନ ସତ୍ୟପାଠରେ ଅପରାଧିକ ମାମଲା ସମ୍ପର୍କରେ ପ୍ରକାଶ କରିନାହାଁନ୍ତି। ଫଡନାଭିସ କୋର୍ଟରେ ଏହି ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ଅପରାଧ ପ୍ରକ୍ରିୟା ସିଆପିସିର ଧାରା ୩୧୩ ଅନୁଯାୟୀ ଫଡନାଭିସଙ୍କ ବିବୃତ୍ତି ଲିଖିତ ଆକାରରେ ରେକର୍ଡ କରାଯାଇଛି। ସେ କହିଛନ୍ତି ମୁଁ କିଛି ଭୁଲ କରି ନାହିଁ। ଏହି ବ୍ୟବସ୍ଥା ଅନୁଯାୟୀ କୋର୍ଟ ଏହି ମାମଲାରେ ଅଭିଯୋଗକାରୀଙ୍କ ଆଧାରରେ ପ୍ରମାଣ ଉପରେ ପ୍ରଶ୍ନ କରିଛନ୍ତି। ଫଡନାଭିସ ତାଙ୍କ ଓକିଲଙ୍କ ସହ ମଧ୍ୟାହ୍ନ ୧୨ଟାରେ ସିଭିଲ ଜଜ ଭିଏ ଦେଶମୁଖଙ୍କ ସମ୍ମୁଖରେ ହାଜର ହୋଇଥିଲେ। ୧୧୦ପ୍ରଶ୍ନ ସହିତ ତାଙ୍କୁ ୩୫ ପୃଷ୍ଠା କାଗଜ ଦିଆଯାଇଥିଲା ।
ଫଡନାଭିସ ତାଙ୍କ ଓକିଲମାନଙ୍କ ସହିତ ପରାମର୍ଶ କରିବା ପରେ ପ୍ରତ୍ୟେକ ପ୍ରଶ୍ନର ନିଜର ଉତ୍ତର ଲେଖିଥିଲେ। ପରେ ତାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି ଭାଜପା ନେତା ଅଭିଯୋଗରେ ଆସିଥିବା ସମସ୍ତ ବିବାଦ ଏବଂ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କୌଣସି ଅପରାଧ କିମ୍ବା ଭୁଲ କରିନାହାଁନ୍ତି ବୋଲି କହିଛନ୍ତି। ଫଡନାଭିସ ଦେଢ଼ ଘଣ୍ଟା ପରେ କୋର୍ଟ ପରିସର ଛାଡିଥିଲେ।
ଏହି ମାମଲାର ଅନ୍ତିମ ଶୁଣାଣି ପାଇଁ କୋର୍ଟ ମେ ୬କୁ ତାରିଖ ସ୍ଥିର କରିଥିଲେ। ୧୯୯୬ ଏବଂ ୧୯୯୮ ମସିହାରେ ଭାଜପା ନେତାଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ରୁଜୁ ହୋଇଥିବା ଅଭିଯୋଗ କରି ଆଡଭୋକେଟ ସତୀଶ ଉକେ ଏକ ଆବେଦନ କରିଥିଲେ। ସୂଚନାଯୋଗ୍ୟ,ଅର୍ଥ ହେରଫେର ଅଭିଯୋଗରେ ଉକେଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେ ବର୍ତ୍ତମାନ ଜେଲରେ ଅଛନ୍ତି।