Advertisement

ଭାରତ ଯୋଗୁ ସେମିଫାଇନାଲରେ ହାରିଗଲା ଦକ୍ଷିଣ ଆଫ୍ରିକା? ICCକୁ ଦାୟୀ କଲେ ଡେଭିଡ୍‌ ମିଲର୍‌

ନୂଆଦିଲ୍ଲୀ,୬।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଏହାପରେ ଦଳର ଭେଟେରାନ ଖେଳାଳି ଡେଭିଡ୍‌ ମିଲର ବଡ଼ ବୟାନ ଦେଇ ଭାରତ ଯୋଗୁ ଦଳ ପରାଜିତ ହୋଇଛି ବୋଲି କହିଛନ୍ତି।
ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ପରେ ମିଲର୍‌ ଆଇସିସିର ଯାତ୍ରା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ଏହା ହାଇବ୍ରିଡ ମଡେଲରେ ଖେଳାଯାଉଛି। ଗ୍ରୁପ୍‌ ମୁକାବିଲାରୁ କିଏ ଫାଇନାଲ ଖେଳିବ ତାହା ସ୍ପଷ୍ଟ ନ ହେବା ଯୋଗୁ ଗ୍ରୁପ୍‌ ବିର ଦୁଇ ସେମିଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ପାକିସ୍ତାନରୁ ଦୁବାଇ ଆସିଥିଲେ। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜେତା ହେବା ପରେ ଦକ୍ଷିଣ ଆଫ୍ରିକା ପୁଣିଥରେ ପାକିସ୍ତାନ ଫେରିଥିଲା। କାରଣ ସେମିଫାଇନାଲ ଲାହୋରରେ ଖେଳାଯିବାର ଥିଲା। ଏହି ଅତିରିକ୍ତ ଯାତ୍ରାକୁ ଭୁଲ ଦର୍ଶାଇଛନ୍ତି ମିଲର।
ଡେଭିଡ ମିଲର କହିଛନ୍ତି,’ଉଡ଼ାଣ କେବଳ ଗୋଟିଏ ଘଣ୍ଟା ୪୦ ମିନିଟ ପାଇଁ ଥିଲା, କିନ୍ତୁ ଆମକୁ ଏହି ଯାତ୍ରା କରିବାକୁ ପଡିଲା, ଯାହା ଠିକ ନଥିଲା।’ ଏହା ସକାଳର ବିମାନ ଥିଲା, ଆମକୁ ମ୍ୟାଚ ପରେ ଯାତ୍ରା କରିବାକୁ ପଡିଲା। ତା’ପରେ ଆମେ ଅପରାହ୍ନ ୪ଟାରେ ଦୁବାଇରେ ପହଞ୍ଚିଲୁ ଏବଂ ସକାଳ ୭:୩୦ରେ ଫେରିବାକୁ ପଡିଲା। ଆମେ ୫ ଘଣ୍ଟାର ବିମାନ ଯାତ୍ରା କରି ଫେରିଥିଲୁ ଏବଂ ଆମ ପାଖରେ ବିଶ୍ରାମ ନେବା ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ପାଇଁ ଯଥେଷ୍ଟ ସମୟ ଥିଲା। କିନ୍ତୁ ଏହି ପରିସ୍ଥିତି ଆଦୌ ଠିକ୍‌ ନ ଥିଲା ବୋଲି ସେ କହିଛନ୍ତି।
କହିରଖୁଛୁ, ଦକ୍ଷିଣ ଆଫ୍ରିକା ସେମିଫାଇନାଲ ମ୍ୟାଚ ହାରିଯାଇଥିଲେ ମଧ୍ୟ ଡେଭିଡ ମିଲରଙ୍କ ବ୍ୟାଟରୁ ଏକ ଲଢ଼ୁଆ ଇନିଂସ ଦେଖିବାକୁ ମିଳିଥିଲା। ଡେଭିଡ ମିଲର୍‌ ୬୭ ବଲ୍‌ରେ ୧୦୦ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଏବଂ ୪ ଛକା ଅନ୍ତର୍ଭୁକ୍ତ ଥିଲା। ଏହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ମଧ୍ୟ ଥିଲା। କିନ୍ତୁ ସେ ତାଙ୍କ ଦଳକୁ ବିଜୟ ଆଡ଼କୁ ନେଇପାରି ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share