Categories: ଜାତୀୟ

ମିଶନ ଦିଲ୍ଲୀ ସମ୍ପର୍କରେ ସୂଚନା ଦେଲେ ଦିଦି…

କୋଲକାତା,୭।୧୦: ଭବାନୀପୁର ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମମତା ଦିଦି କହିଛନ୍ତି ଯେ, କଂଗ୍ରେସ ଭାଜପା ବିରୋଧରେ ଲଢ଼ିବାକୁ ସକ୍ଷମ ହୋଇପାରୁ ନାହିଁ। ଏପରିସ୍ଥଳରେ ଟିଏମ୍‌ସି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ଟିଏମ୍‌ସିର ମୁଖପତ୍ର ‘ଜାଗୋ ବାଂଲା’ର ଦୁର୍ଗାପୂଜା ସଂସ୍କରଣରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଦେଶବାସୀ ଏବେ ଟିଏମ୍‌ସି ଉପରେ ଭରସା ରଖିଛନ୍ତି।

ମମତାଙ୍କ ଏଭଳି ଲେଖାରୁ ଜଣାପଡୁଛି ଟିଏମ୍‌ସି ଆଗାମୀ ଦିନରେ ଭାଜପା ବିରୋଧରେ ବିରୋଧୀ ଦଳଙ୍କୁ ଏକଜୁଟ କରିବାର ପ୍ରୟାସ କରିବ। ଏନେଇ ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି। ନୂଆ ଭାରତର ନିର୍ମାଣ ଦାୟିତ୍ୱ ଏବେ ଟିଏମ୍‌ସି ଗ୍ରହଣ କରିଥିବା ମମତା କହିଛନ୍ତି। ଭାଜପା ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ବିଫଳ ରହି ପ୍ରତିଶୋଧ ରାଜନୀତି ଆରମ୍ଭ କରିଛି।

ଏବେ ଟିଏମ୍‌ସି ସମ୍ମୁଖରେ ନୂଆ ଆହ୍ବାନ ଦେଖାଦେଇଛି। ତାହା ହେଉଛି ଦିଲ୍ଲୀରୁ ଡାକରା। ଦେଶବାସୀ ଭାଜପାର ଜନବିରୋଧୀ ନୀତିରୁ ମୁକ୍ତି ଚାହୁଁଛନ୍ତି ତେଣୁ ଏନେଇ ୨୦୨୪ ଲୋକ ସଭା ନିର୍ବାଚନରେ ଟିଏମ୍‌ସି ପକ୍ଷରୁ ବିରୋଧୀ ଏକତାକୁ ଏକଜୁଟ କରାଯିବାର ଉଦ୍ୟମ କରାଯିବ। ଟିଏମ୍‌ସି ଏବେ ପଶ୍ଚିମବଙ୍ଗ ସୀମା ଟପିବା ଆରମ୍ଭ କରିଛି। ଲୋକେ ଟିଏମ୍‌ସିକୁ ନେଇ ନୂଆ ଭାରତ ଗଠନ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି ବୋଲି ମମତା କହିଛନ୍ତି।

Share