Categories: ଜାତୀୟ

ଭାଜପାକୁ ଝଟ୍‌କା ଦେବାକୁ ଦିଦି ପ୍ରସ୍ତୁତ, ୨୪ ବିଧାୟକଙ୍କ ସହ ଯୋଗାଯୋଗ ସ୍ଥାପନ ଦାବି…

କୋଲକାତା,୭।୯: ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଆଗାମୀ ଦିନରେ ବହୁ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି। ସେ କହିଛନ୍ତି ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାମ କରିବାକୁ ଚାହୁଁଥିବା ୨୪ ଜଣ ଭାଜପା ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଟିଏମସିରେ ଯୋଗଦେବାକୁ ଚାହୁଁଥିବା ବିଧାୟକ ଏବଂ ନେତାଙ୍କ ଲମ୍ବା ଧାଡି ରହିଛି ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଜୁନରେ ମୁକୁଲ ରାୟ ନିଜେ ଭାଜପା ଛାଡି ଟିଏମସି ଫେରିଥିଲେ। ସେ ଚାରି ବର୍ଷ ପୂର୍ବେ ଟିଏମସିରୁ ଭାଜପାକୁ ଯାଇଥିଲେ। ତେବେ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ସେ ପୁଣି ଥରେ ମମତା ବାନାର୍ଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛନ୍ତି।

ଗତ ଚାରି ସପ୍ତାହ ମଧ୍ୟରେ ସୋମେନ ରାୟ, ବିଶ୍ୱଜିତ ଦାସ ଏବଂ ତନ୍ମୟ ଘୋଷଙ୍କ ସମେତ ଚାରିଜଣ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି। ଏ ସମସ୍ତ ନେତା ମୁକୁଲ ରାୟଙ୍କ ନିକଟତର ବୋଲି ବିବେଚନା କରାଯାଏ।

ସୋମେନ ରାୟ ଗତ ସପ୍ତାହରେ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଅଗଷ୍ଟ ୩୦ ରେ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ ଟିଏମସି ଫେରି ଆସିଥିଲେ। ଅଗଷ୍ଟ ୩୧ରେ ଉତ୍ତର ୨୪ ପ୍ରଗନା ଜିଲାର ବାଗଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ବିଶ୍ୱଜିତ ଦାସ ମଧ୍ୟ ଟିଏମସିରେ ଯୋଗ ଦେଇଥିଲେ।

ଏହାଦ୍ୱାରା ଏବେ ପଶ୍ଚିମବଙ୍ଗ ବିଧାନସଭାରେ ଭାଜପା ବିଧାୟକଙ୍କ ସଂଖ୍ୟା ୭୧ କୁ ହ୍ରାସ ପାଇଛି। ଏହାକୁ ନେଇ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟରେ ଉପ ନିର୍ବାଚନ ପୂର୍ବରୁ ପୁଣି ବାଡ଼ ଡିଆଁ ଆରମ୍ଭ ହୋଇଛି।

Share