Categories: ଜାତୀୟ

ପୁଣି ଫେରିବେ ଦିଦି: ଚମତ୍କାର ଆଶାରେ ଭାଜପା

କୋଲକାତା,୧୬।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଯୋଜନା କରାଯାଉଛି। ତେବେ ପୁଣି ମମତା ଦିଦି କ୍ଷମତା ଦଖଲ କରିବେ ବୋଲି ଓପିନିୟନ ପୋଲ୍‌ରୁ ଅନୁମାନ କରାଯାଉଛି। ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଦ୍ୱାରା କିଛି ଚମତ୍କାର ହେବାର ଆଶା ରଖିଛି। ତେବେ ତାହା ସହଜ ନୁହେଁ ବୋଲି ଏବିପି ନ୍ୟୁଜ୍‌-ସିଏନ୍‌ଏକ୍ସ୍‌ ଓପିନିୟନ ପୋଲ୍‌ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ ୧୫୧ ଆସନ ତୃଣମୂଳ କଂଗ୍ରେସ ଖାତାକୁ ଯିବାର ସମ୍ଭାବନା ରହିଛି। ସେହିପରି ଭାଜପା ୧୧୭ ଆସନରେ ବିଜୟୀ ହେବାର ଆଶା ରହିଛି। ୨୦୧୬ରେ ରାଜ୍ୟରେ ଭାଜପା ମାତ୍ର ୩ଟି ଆସନ ହାସଲ କରିଥିଲା। ଏବେ ଭାଜପା ଏଠାରେ ଶହେରୁ ଅଧିକ ଆସନ ହାତେଇବା ଓପିନିୟନ ପୋଲ୍‌ରେ ଉଲ୍ଲେଖ କରାଯାଇଛି। ଗତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୧୧ ଆସନରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସ ଏବଂ ସିପିଏମ୍‌ ମେଣ୍ଟକୁ ୨୪ ଆସନ ମିଳିବାର ଆଶା ରହିଛି। ରାଜ୍ୟରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୪୮ ରହିଛି। ସମ୍ପ୍ରତି ରାଜ୍ୟ ବିଧାନସଭାରେ ତୃଣମୂଳର ବିଧାୟକ ସଂଖ୍ୟା ୨୧୧, କଂଗ୍ରେସ ୪୪, ବାମଦଳ ୨୬ ଏବଂ ଭାଜପା ପାଖରେ ୩ ଜଣ ବିଧାୟକ ରହିଛନ୍ତି। ଅନ୍ୟଦଳଙ୍କ ବିଧାୟକ ସଂଖ୍ୟା ୧୦ ରହିଛି।

Share