Categories: ଜାତୀୟ

ଦିଦିଙ୍କ ଘର ସଜଡ଼ା ଆରମ୍ଭ: ଜିତେନ୍ଦ୍ର ନେଲେ ୟୁ-ଟର୍ନ

କୋଲକାତା,୧୯।୧୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଭାଜପା ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ମିଶନ ପଶ୍ଚିମବଙ୍ଗ ଆରମ୍ଭ ହୋଇଛି। ଶାସକ ତୃଣମୂଳର ବରିଷ୍ଠ ନେତାଙ୍କୁ ବାଡ଼ ଡିଆଁଇବା ଯୋଜନା ଭାଜପା ପକ୍ଷରୁ କରାଯାଇଛି। ଇତିମଧ୍ୟରେ ତୃଣମୂଳ ୫ ଜଣ ଅସନ୍ତୁଷ୍ଟ ଭାଜପା ମୁହାଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘର ସଜଡ଼ା ଆରମ୍ଭ କରିଛନ୍ତି। ସେ ଅସନ୍ତୁଷ୍ଟଙ୍କୁ ମନାଇବା ଯୋଜନା କରିଛନ୍ତି। ତେବେ ଅସନ୍ତୁଷ୍ଟ ନେତା ଜିତେନ୍ଦ୍ର ତିଓ୍ବାରୀ ତୃଣମୂଳରେ ରହିଥିବା ନେଇ ଘୋଷଣା କରିଛନ୍ତି। ବରିଷ୍ଠ ନେତା ଅରୂପ ବିଶ୍ୱାସ ତାଙ୍କୁ ବୁଝାଇବା ପରେ ଜିତେନ୍ଦ୍ର ଏଭଳି ଘୋଷଣା କରିଥିବା କୁହାଯାଉଛି। ମାତ୍ର ଜିତେନ୍ଦ୍ର ଭଳି ନେତାଙ୍କୁ ଭାଜପାରେ ନିଆଯିବ ନାହିଁ ବୋଲି ବାବୁଲ ସୁପ୍ରିଓ ନିଜର ଫେସବୁକ୍‌ ଆକାଉଣ୍ଟ୍‌ରେ ମତାମତ ଦେବା ପରେ ଏଭଳି ୟୁ-ଟର୍ନ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଜିତେନ୍ଦ୍ରଙ୍କ ଦ୍ୱାରା ଭାଜପା ଅଧିକ ଲାଭାନ୍ବିତ ହୋଇପାରିବ ନାହିଁ। ତେଣୁ ତାଙ୍କୁ ଭାଜପାରେ ସାମିଲ କରିବା ନେଇ ବରିଷ୍ଠ ସଦସ୍ୟ ଅମଙ୍ଗ ହେବାରୁ ବାଧ୍ୟ ହୋଇ ଜିତେନ୍ଦ୍ର ପୁଣି ତୃଣମୂଳକୁ ଫେରିବା ସହିତ ଏଭଳି ଘୋଷଣା କରିଥିବା ଚର୍ଚ୍ଚା ହେଉଛି।

Share