Categories: ଜାତୀୟ

ଅନ୍ନ ଛୁଇଁଲେନି, ଚା ପିଇଲେନି

ନୂଆଦିଲ୍ଲୀ,୪ା୧୨: (ପି.ଟି./ଆଇଏଏନ୍‌ଏସ୍‌): ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ସେମାନେ ସରକାରଙ୍କ ଆଗରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ନୂଆ ଆଇନ ପ୍ରଣୟନ ଓ ନଡ଼ା ମୂଳି ପୋଡ଼ିଲେ ଦଣ୍ଡବିଧାନ ବ୍ୟବସ୍ଥା ପ୍ରତ୍ୟାହାର କରିବା ସମେତ ୫ଟି ଦାବି ରଖିଛନ୍ତି। ତେବେ ଆଲୋଚନା ମଝିରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଖାଦ୍ୟକୁ କୃଷକ ନେତାମାନେ ଗ୍ରହଣ କରିନାହାନ୍ତି। ସରକାରଙ୍କ ଅନ୍ନ ଛୁଇଁବାକୁ କି ଚା ପିଇବାକୁ ସେମାନେ ମନା କରିଦେଲେ। ସିଙ୍ଘୁ ବର୍ଡରରେ ଆନ୍ଦୋଳନରତ ଚାଷୀମାନେ ଏକ ଛୋଟ ଭ୍ୟାନ୍‌ରେ ପଠାଇଥିବା ଖାଦ୍ୟକୁ ଲଞ୍ଚ୍‌ ବ୍ରେକ୍‌ ବେଳେ ଖାଇଲେ। ବିଜ୍ଞାନ ଭବନ ବାହାରେ ପ୍ରାୟ ୪୦ ଜଣ କୃଷକ ନେତା ଖାଉଥିବା ଦେଖାଯାଇଥିଲା। ଲୋକ ସଂଘର୍ଷ ମୋର୍ଚ୍ଚା ସଭାପତି ପ୍ରତିଭା ସିନ୍ଧେ କହିଛନ୍ତି, ଆମ କୃଷକ ପ୍ରତିନିଧିମାନେ ସରକାରଙ୍କ ଖାଦ୍ୟ ଖାଇ ନାହାନ୍ତି। ଆମେ ସେମାନଙ୍କ ପାଇଁ ସିଙ୍ଘୁ ସୀମାରୁ ଖାଦ୍ୟ ବ୍ୟବସ୍ଥା କରିଛୁ। ସରକାର ଖାଦ୍ୟ ଦେବା ପରିବର୍ତ୍ତେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଉଚିତ।
ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ନଭେମ୍ବର ୨୬ରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଥିଲା। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଶୀତକାକରରେ ପୋଲିସର ପାଣିବର୍ଷା ଓ ଲୁହବୁହା ବାଷ୍ପ ସହି ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଏହି ଆଇନ ପ୍ରତ୍ୟାହାର ନ କରିବା ଯାଏ ପଛଘୁଞ୍ଚା ଦେବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହାସହ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ୫ ଜଣିଆ କମିଟି ଗଠନ ନେଇ କେନ୍ଦ୍ରର ପ୍ରସ୍ତାବକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କୃଷକ ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚତ୍ଥିବାବେଳେ ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଅପରାହ୍ନ ୧୨ଟା ୩୦ରେ ପୁଣି ଥରେ ବୈଠକ ବସିଥିଲା। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲ, ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଏବଂ କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ୩୫ କୃଷକ ସଙ୍ଗଠନର ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କୃଷକ ନେତାମାନେ ସରକାରଙ୍କ ଆଗରେ ଲିଖିତ ଭାବେ ୫ଟି ଦାବି ରଖିଥିଲେ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା ସେପ୍ଟେମ୍ବରରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଅଣାଯାଇଥିବା ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରାଯାଉ। ଆଗକୁ ଅଣାଯିବାକୁ ଥିବା ବିଦ୍ୟୁତ୍‌ (ସଂଶୋଧନ) ଆଇନ, ୨୦୨୦ ଉପରେ ମଧ୍ୟ ସେମାନେ ଆପତ୍ତି ଉଠାଇଥିଲେ। ସେହିପରି ଚାଷଜମିରେ ନଡ଼ାମୂଳି ପୋଡ଼ିଲେ ମାମଲା ଦାଏର କରିବା ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଥିଲେ। ସରକାର ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ବଜାୟ ରହିବା ନେଇ ଲିଖିତ ଭାବେ କାହିଁକି ପ୍ରତିଶ୍ରୁତି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାସହ ଭବିଷ୍ୟତରେ ମଧ୍ୟ ଏମ୍‌ଏସ୍‌ପି ନେଇ ଏକ ନୂଆ ଆଇନ ବଳରେ ସୁନିଶ୍ଚିତ କରିବାକୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନା ମଝିରେ ଲଞ୍ଚ୍‌ ବ୍ରେକ୍‌ ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା। ହେଲେ ଚାଷୀ ନେତାମାନେ ସରକାରୀ ଖାଦ୍ୟ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସରକାରଙ୍କ ଖାଦ୍ୟ କି ଚା ଆମେ ଛୁଇଁବୁ ନାହିଁ କହି ନିଜ ଖାଦ୍ୟ ଖାଇଥିଲେ।
ଭାରତୀୟ କିଷାନ ୟୁନିୟନ, ଭାରତୀୟ କିଷାନ ସଂଯୁକ୍ତ ମୋର୍ଚ୍ଚା, କ୍ରାନ୍ତିକାରୀ କିଷାନ ୟୁନିୟନ ପ୍ରମୁଖ କୃଷକ ସଙ୍ଗଠନର ପ୍ରତିନିଧିମାନେ ସରକାରଙ୍କୁ କହିଥିଲେ, ୩ କୃଷି ଆଇନ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଣାଯାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତପକ୍ଷେ ସେମାନଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇଛି। ବଡ଼ ବ୍ୟବସାୟୀ ଓ କର୍ପୋରେଟ ହାଉସ୍‌ଗୁଡ଼ିକୁ ଲାଭ ଦେବା ପାଇଁ ଏହି ଆଇନକୁ ଗୃହୀତ କରାଯାଇଛି। ତେବେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ମଧ୍ୟ ଫଳପ୍ରଦ ହୋଇନାହିଁ। ଡିସେମ୍ବର ୫ ଶନିବାର ଅପରାହ୍ନ ୨ଟାରେ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ।

Share