ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କ ସ୍ତ୍ରୀ ବି.ସନ୍ଧ୍ୟାରାଣୀ ସୁବୁଦ୍ଧି ବର୍ତ୍ତମାନ ସରପଞ୍ଚ ଅଛନ୍ତି।

କ୍ରିଷ୍ଣା ସକାଳେ ପ୍ରାତଃ ଭ୍ରମଣ ସାରି ସ୍ଥାନୀୟ ବଜାରରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଛାତିରେ ଯନ୍ତ୍ରଣା ହେଉଥିବା କହି ସ୍ତ୍ରୀଙ୍କୁ ଗରମ ପାଣି ଆଣିଦେବାକୁ କହିଥିଲେ। ପାଣି ପିଇବା ପରେ ତାଙ୍କ ଉପରେ ଟଳି ପଡ଼ିଥିଲେ। ତାଙ୍କୁ ସାହି ପଡ଼ୋଶୀ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରୁ ସହସ୍ରାଧିକ ଲୋକ ପହଞ୍ଚିଥିଲେ। ପରେ ତାଙ୍କୁ ପଦ୍ମନାଭପୁରସ୍ଥିତ ବାସଭବନକୁ ନିଆଯାଇଥିଲା। ଖବରପାଇ ବ୍ଲକ ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପହଞ୍ଚି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରେ ମରଶରୀରକୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଗ୍ରାମର ସମସ୍ତ ସାହି ବସ୍ତି ପରିକ୍ରମା କରାଯିବା ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ସେ ପୂର୍ବରୁ ଜିଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ସହ ପୂର୍ବରୁ ୩ଥର ସରପଞ୍ଚ ଥିଲେ। ତାଙ୍କୁ ବିଜେଡି ଗଞ୍ଜାମ ଜିଲା କମିଟିର ଉପସଭାପତି ଭାବେ ନିଯୁକ୍ତ କରାଯାଇଥିଲା।

Share