ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ପହିଲା ଅପରାହ୍ନ ୬ଟାରେ ମତଦାନ ସମାପ୍ତ ହୋଇଯିବ। ଜୁନ୍ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ ନିର୍ବାଚନରେ କିଏ ବିଜେତା ହେବା ଜାଣିବା ପୂର୍ବରୁ ସମସ୍ତଙ୍କ ନଜର ଏଗ୍ଜିଟ୍ ପୋଲ ଉପରେ ରହିଛି। ଏହା ଜୁନ୍ ୧ରେ ଭୋଟ ଗ୍ରହଣ ସମାପ୍ତ ହେବା ପରେ ଏଜେନ୍ସିମାନଙ୍କ ପକ୍ଷରୁ ନିଜ ନିଜର ଏକ୍ଜିଟ୍ ପୋଲ୍ ଜାରି କରାଯିବ। ଏହା ଜରିଆରେ କିଏ ସରକାର ଗଠନ କରିପାରେ ତାହା ଅନୁମାନ କରାଯାଇପାରିବ। ହେଲେ ଏହା ସତ ପ୍ରତିଶତ ସତ ହେବା ଜରୁରୀ ନୁହେଁ। ଅନେକ ସମୟରେ ନିର୍ବାଚନୀ ଫଳାଫଳ ଏଗ୍ଜିଟ୍ ପୋଲଠାରୁ ଭିନ୍ନ ଥାଏ।
ଏଭଳି ଦେଖିବାକୁ ମିଳେ କିଛି ଲୋକ ଏକ୍ଜିଟ୍ ପୋଲ୍ ଏବଂ ଓପିନିଅନ୍ ପୋଲ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏହା ସମାନ ବୋଲି ଅନେକେ ଭାବିଥାନ୍ତି। ହେଲେ ସେଭଳି ନୁହେଁ। ଆମେ ଆପଣଙ୍କୁ ଉଭୟଙ୍କ ମଧ୍ୟରେ ଥିବା ଫରକ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବୁ।
ଏକ୍ଜିଟ୍ ପୋଲ୍ କ’ଣ?
ମତଦାନ ପରେ ଜନତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଆଧାରରେ ଏକାଠି କରାଯାଇଥିବା ଡାଟାକୁ ଏଗ୍ଜିଟ୍ ପୋଲ୍ କୁହାଯାଏ। ଏହା ଏକ ପ୍ରକାର ନିର୍ବାଚନୀ ସର୍ଭେ। ଯେତେବେଳେ ମତଦାତା ନିଜର ମତାଧିକାର ବ୍ୟବହାର କରି ପୋଲିଂ ବୁଥ୍ରୁ ବାହାରକୁ ଆସେ ସେତେବେଳେ ଭିନ୍ନ ଭିନ୍ନ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାଲେଲ ମତଦାନକୁ ନେଇ ପ୍ରଶ୍ନ ପଚାରିଥାନ୍ତି। ଏଥିରେ ଭୋଟରଙ୍କ ମନକୁ ପଢ଼ିବାକୁ ଚେଷ୍ଟା କରାଯାଏ। ଯେମିତି କି-ଆପଣ କାହାକୁ ଭୋଟ୍ ଦେଲେ? ଆପଣଙ୍କୁ କେଉଁ ଦଳର କାମ ପସନ୍ଦ? ଇତ୍ୟାଦି।
ମତଦାନ ଶେଷ ହେବା ପରେ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାନେଲ ପାଖରେ ସମସ୍ତ ସୂଚନା ଏକତ୍ରିତ ହୋଇଯାଇଥାଏ। ଏହି ଅଙ୍କ ଆଧାରରେ ଡାଟା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଦଳ, ରାଜ୍ୟ ଏବଂ ଜାତି ଆଧାରରେ ଡାଟା ବାହାର କରାଯାଇଥାଏ।
ଓପିନିଅନ ପୋଲ୍ କ’ଣ?
ଓପିନିଅନ ପୋଲ ନିର୍ବାଚନ ପୂର୍ବରୁ କରାଯାଇଥାଏ। ଏହା ଜରିଆରେ ଜନତାଙ୍କ ମନୋଗତି ବୁଝାଯାଇଥାଏ। ଏଥିରେ ଭୋଟରଙ୍କୁ ପଚରା ଯାଇଥାଏ ଯେ ସେ କେଉଁ ଦଳ ଏବଂ କେଉଁ ଆଧାରରେ ଭୋଟ ଦେବେ? ହେଲେ ଓପିନିଅନ ପୋଲ୍ ଅଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ।
କେତେବେଳେ ଏକ୍ଜିଟ୍ ପୋଲ୍ ଜାରି କରାଯାଏ?
ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଧାରା ୧୨୬ ଏ ଅନୁଯାୟୀ ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହେବାର ଅଧା ଘଣ୍ଟା ଯାଏ ଏହା ଉପରେ ରୋକୋ ଥାଏ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ତାକୁ ଦଣ୍ଡିତ କରାଯାଇପାରେ। ଏପରିକି ଏଥିଯୋଗୁ ୨ ବର୍ଷ ଜେଲ, ଜରିମାନା ନଚେତ ଉଭୟ ଲାଗିପାରେ।
ଏକ୍ଜିଟ୍ ପୋଲ ଏବଂ ଓପିନିୟନ ପୋଲ୍ ମଧ୍ୟରେ ଅନ୍ତର:
-ଓପିନିଅନ ପୋଲ ନିର୍ବାଚନ ପୂର୍ବରୁ କରାଯାଇଥାଏ। ହେଲେ ଏକ୍ଜିଟ୍ ପୋଲ ପୋଲିଂ ବୁଥ୍ ବାହାରେ ଭୋଟ ଦେଇସାରିଥିବା ମତଦାତାଙ୍କ ଆଧାରରେ କରାଯାଇଥାଏ।
-ଓପିନିଅନ ପୋଲ୍ ଜନତାଙ୍କ ପସନ୍ଦ ଜାଣିବାକୁ କରାଯାଏ। ହେଲେ ଏକ୍ଜିଟ୍ ପୋଲ ମତଦାତା କାହାକୁ ଭୋଟ ଦେଲେ ଜାଣିବାକୁ କରାଯାଇଥାଏ।
-ଓପିନିଅନ ପୋଲ ତୁଳନାରେ ଏକ୍ଜିଟ୍ ପୋଲର୍ ଭବିଷ୍ୟବାଣୀ ସଠିକ୍ ଥାଏ, କାରଣ ଏଥିରେ ମତଦାତାଙ୍କ ବ୍ୟବହାରରେ ଫରକ ଥାଏ।