Categories: ଜାତୀୟ

ଜବତ ଟଙ୍କା ନେଇ ୩ ବିଧାୟକଙ୍କ ଭିନ୍ନ ଭିନ୍ନ ଉତ୍ତର, ତଦନ୍ତ ଜାରି..

କୋଲକାତା, ୩୧।୭ : କୋଲକାତାର ହାୱଡ଼ାରେ ନଗଦ ଟଙ୍କା ସହିତ ଗିରଫ ହୋଇଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପଶ୍ଚିମବଙ୍ଗ ପୋଲିସ ପଚରାଉଚରା ଜାରି ରଖିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଲକାତା ପୋଲିସ, ହାୱଡ଼ା ପୋଲିସ ଏବଂ ସିଆଇଡି ଅଧିକାରୀଙ୍କ ଦ୍ୱାରା ବିଧାୟକମାନଙ୍କୁ ପଚରାଉଚରା କରାଯାଇଥିଲା। ଅପରପକ୍ଷରେ, ସେମାନଙ୍କଠାରୁ ପ୍ରାପ୍ତ ଟଙ୍କା ଗଣିବା କାର୍ଯ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜବତ ହୋଇଥିବା ଟଙ୍କାକୁ ନେଇ ତିନିଜଣ ବିଧାୟକ ଭିନ୍ନ ଭିନ୍ନ ଉତ୍ତର ଦେଇଛନ୍ତି। କିଏ ଶାଢ଼ି କିଣିବା କଇା କହୁଥିବାବେଳେ ଅନ୍ୟ କିଏ କାର କିଣିବା ପାଇଁ ଟଙ୍କା ନେଉଥିବା କହିଛନ୍ତି। ବିଧାୟକମାନେ ଟଙ୍କା ସମ୍ବନ୍ଧରେ ସନ୍ତୋଷଜନକ ଉତ୍ତର ଦେବାକୁ ଅସମର୍ଥ ହୋଇଛନ୍ତି। ସେମାନଙ୍କ ଡାକ୍ତରୀ ପରୀକ୍ଷା ବିଳମ୍ବିତ ରାତିରେ କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟରେ ପୋଲିସ କହିଛି ଯେ ବିଧାୟକଙ୍କ ଠାରୁ ୪୮ଲକ୍ଷ ଟଙ୍କା ଜବତ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଧାୟକମାନେ ପୋଲିସକୁ କହିଥିଲେ ଯେ ଟଙ୍କା ନେଇ ମନ୍ଦାରମଣି ଯାଉଥିଲେ। ସେମାନେ କୋଲକାତାର ବଡ ବଜାରରେ ଶାଢ଼ି କିଣିଥାନ୍ତେ।

ବିଧାୟକମାନେ କହିଛନ୍ତି ଯେ ଅଗଷ୍ଟ ୯ ରେ ଝାଡଖଣ୍ଡର ଏକ କାର୍ଯ୍ୟକ୍ରମରେ ଲୋକଙ୍କ ମଧ୍ୟରେ ଶାଢ଼ି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଟଙ୍କା ନେଇ କୋଲକାତା ଆସୁଥିଲେ। ଯେତେବେଳେ ତିନିଜଣ ବିଧାୟକଙ୍କୁ ପୃଥକ ଭାବରେ ପଚରାଗଲା, ସେମାନେ ସମସ୍ତେ ଭିନ୍ନ ଭିନ୍ନ କଥା କହିଥିଲେ। ବିଧାୟକଙ୍କ ବିବୃତ୍ତିରେ ପାର୍ଥକ୍ୟ ନେଇ ପୋଲିସ ସନ୍ତୁଷ୍ଟ ହୋଇ ପାରି ନଥିବା କୁହାଯାଉଛି।

 

Share