ବିଜେଡି ନେତାଙ୍କ ପାଇଁ ଭିନ୍ନ ଆଇନ: ଭାଜପା

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟାପିକା ବୋହୂ ପ୍ରାୟ ୨ବର୍ଷ କାଳ କଲେଜ ନ ଆସି ଦରମା ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ଗୋଟେ ଆଇନ ଥିବାବେଳେ ବିଜେଡିର ନେତା, ମନ୍ତ୍ରୀ, ଏମ୍‌ପିଙ୍କ ପରିବାର ଲାଗି ଭିନ୍ନ ନିୟମ। ବିଜେଡିର ଏଭଳି ଭିନ୍ନ ଚରିତ୍ରଙ୍କୁ ଲୋକେ ଲକ୍ଷ୍ୟ କରୁଛନ୍ତି, ଖୁବ୍‌ଶୀଘ୍ର ସେମାନଙ୍କ ବିରୋଧରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ଖବରଦାତା ସମ୍ମିଳନୀରେ ବୁଧବାର କହିଛନ୍ତି। ଭାଜପାର ଏଭଳି ଅଭିଯୋଗକୁ ଜବାବ ଦେଇ ମନ୍ତ୍ରୀ ମଲ୍ଲିକ କହିଛନ୍ତି, ଅଭିଯୋଗ ଭିତ୍ତିହୀନ ଏବଂ କପୋଳକଳ୍ପିତ। ବୋହୂ ଲିପ୍‌ସା ନିୟମିତଭାବେ କଲେଜରେ ଯୋଗ ଦେଇଛନ୍ତି, ଏପରି କି ଖାତା ମଧ୍ୟ ମୂଲ୍ୟାଙ୍କନ କରିଛନ୍ତି। ଖାତା ମୂଲ୍ୟାଙ୍କନ ତଥ୍ୟ କେବେ ମିଥ୍ୟା ହୋଇ ନ ପାରେ ବୋଲି ଖଣି ମନ୍ତ୍ରୀ କହିଛନ୍ତି।
ପ୍ରକାଶ ଯେ, ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ଲୋକାୟୁକ୍ତଙ୍କ ନିକଟରେ କରିଥିବା ଅଭିଯୋଗ ଅନୁସାରେ ମନ୍ତ୍ରୀ ମଲ୍ଲିକଙ୍କ ବୋହୂ ଲିପ୍‌ସା ପ୍ରଧାନ କାମାକ୍ଷାନଗର କଲେଜର ପ୍ରାଣୀ ବିଭାଗରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି। ସେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ନ ଦେଇ ମଧ୍ୟ ନିୟମିତ ଭାବେ ଦରମା ପାଇ ଆସିଛନ୍ତି। ଏପରି କି ଉକ୍ତ ସମୟରେ ଲିପ୍‌ସା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଥିବା ଦର୍ଶାଇ ଛୁଟିରେ ଥିଲେ। ହେଲେ ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୫-୧୬ ଏବଂ ୨୦୧୬-୧୭ ଶିକ୍ଷା ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ଲିପ୍‌ସା ପ୍ରଧାନ ନାମରେ କେହି ପିଏଚ୍‌ଡି କରି ନାହାନ୍ତି ବୋଲି ଜଣାପଡ଼ିଛି। ଏଭଳିସ୍ଥିତିରେ କଲେଜ କର୍ତ୍ତୃପକ୍ଷ ଲିପ୍‌ସାଙ୍କୁ ପିଏଚ୍‌ଡି ନାଁରେ ସବେତନ ଛୁଟି ଦର୍ଶାଇବା ଏକ ବଡ଼ କେଳେଙ୍କାରୀକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଭାଜପା ଅଭିଯୋଗ କରିଛି।

Share