Categories: ଫୁରସତ

ନୂଆବର୍ଷର ଭିନ୍ନ ଏକ ପରମ୍ପରା

ଦକ୍ଷିଣ ଆମେରିକାର ଇକ୍ୱେଡରରେ କାହିଁ କେଉଁକାଳରୁ ନବବର୍ଷକୁ ନେଇ ଚାଲିଆସିଛି ଭିନ୍ନ ଏକ ପରମ୍ପରା। ଏଠାରେ ନବବର୍ଷ ପୂର୍ବ ରାତିରେ ଲୋକେ ଏକ ପାଳଭୂତକୁ ଜାଳିଥାନ୍ତି। ଭାବୁଥିବେ ପାଳଭୂତକୁ ବା କାହିଁକି ନୂଆବର୍ଷ ସ୍ବାଗତ ଅବସରରେ ଜଳାଯାଏ। ତେବେ କହି ରଖୁଛୁ ଏହା କୌଣସି ସାଧାରଣ ପାଳଭୂତ ନୁହେଁ। ଏଠାକାର ଅଧିବାସୀ ପୂର୍ବବର୍ଷର ସବୁ ତିକ୍ତ ଅନୁଭୂତିକୁ କାଗଜରେ ଲେଖି ତାକୁ ପାଳ ଭୂତ ଭିତରେ ଭର୍ତ୍ତି କରି ତିଆରି କରିଥାନ୍ତି। ତେବେ କେବଳ ତିକ୍ତ ଅନୁଭୂତିଭରା କାଗଜ ନୁହେଁ, ବରଂ ଖରାପ ଅନୁଭୂତି ଥିବା ଫଟୋଗ୍ରାଫ, କପଡା ଓ ବିଭିନ୍ନ ସାମଗ୍ରୀକୁ ମଧ୍ୟ ତା’ ଭିତରେ ରଖନ୍ତି। ଆଉ ସେହି ପାଳଭୂତକୁ ଏକ ମୁଖା ପିନ୍ଧାଇ ନବବର୍ଷ ପୂର୍ବ ଦିନର ମଧ୍ୟରାତ୍ରରେ ଜାଳି ଦିଅନ୍ତି। ଏଭଳି କରିବାର ଉଦ୍ଦେଶ୍ୟ ଥାଏ ସବୁ ପୁରୁଣା ତିକ୍ତ ଅନୁଭୂତିକୁ ଜାଳିପୋଡି ନଷ୍ଟ କରି ତଥା ସେସବୁକୁ ଭୁଲି ନୂଆ ଭାବେ ବର୍ଷ ଆରମ୍ଭ କରିବା। ସେମାନଙ୍କର ବିଶ୍ୱାସ ଥାଏ ଏଭଳି କଲେ ସୌଭାଗ୍ୟ ଓ ସୁଖଶାନ୍ତି ଆସିଥାଏ।

Share