ସରକାରୀ ଛୁଟିରେ ପାତରଅନ୍ତର

ସାଧାରଣତଃ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ଷକୁ ଯେଉଁ ୧୭ଟି କାର୍ଯ୍ୟ ବନ୍ଦ ଦିବସକୁ ଛୁଟି ଭାବରେ ପାଇଥାନ୍ତି, ସେଥିମଧ୍ୟରୁ ୧୪ଟି ଛୁଟି ସବୁ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ସମାନ ଥାଏ ଯେଉଁଥିରେ ତିନୋଟି ଜାତୀୟ ଛୁଟି (ସାଧାରଣତନ୍ତ୍ର ଦିବସ, ଗଣତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ), ଦୁଇଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ (ଦଶହରା, ଦୀପାବଳି), ଚାରୋଟି ମୁସଲମାନମାନଙ୍କ ପାଇଁ (ଇଦ୍‌-ଉଲ୍‌-ଫିତର, ଇଦ୍‌-ଉଲ୍‌-ଜୁହା, ମହରମ, ଇଦ-ଏ- ମିଲାଦ), ଦୁଇଟି ଖ୍ରୀଷ୍ଟିଆନମାନଙ୍କ ପାଇଁ (ଗୁଡ୍‌ ଫ୍ରାଇଡେ, ଖ୍ରୀଷ୍ଟମାସ ଡେ୍‌), ଗୋଟିଏ ଶିଖ୍‌ ଧର୍ମାବଲମ୍ବୀଙ୍କ ପାଇଁ (ଗୁରୁନାନକ ଜନ୍ମ ଦିନ), ଗୋଟିଏ ଜୈନ ଧର୍ମାବଲମ୍ବୀଙ୍କ ପାଇଁ (ମହାବୀର ଜୟନ୍ତୀ) ଏବଂ ଗୋଟିଏ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ (ବୁଦ୍ଧ ପୂର୍ଣ୍ଣିମା) ନିର୍ଦ୍ଦିଷ୍ଟ ଭାବେ ଧାର୍ଯ୍ୟ କରାଯାଇଥାଏ। ବାକି ତିନିଦିନ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ବିଭାଗ ଦ୍ୱାରା ନିର୍ଦ୍ଧାରିତ ବାରଗୋଟି ଛୁଟି ମଧ୍ୟରୁ (ଯେମିତି ଦୁର୍ଗାପୂଜା ପାଇଁ ଅତିରିକ୍ତ ଛୁଟି,ହୋଲି, ଜନ୍ମାଷ୍ଟମୀ, ରାମନବମୀ, ଶିବରାତ୍ରି, ଗଣେଶ ଚତୁର୍ଥୀ, ମକର ସଂକ୍ରାନ୍ତି, ରଥଯାତ୍ରା, ଓନମ, ପୋଙ୍ଗଲ, ଶ୍ରୀପଞ୍ଚମୀ ଏବଂ ମକର ସଂକ୍ରାନ୍ତି, ବିହୁ, ବୈଶାଖୀ, ଲୋହରି ଭଳି ପର୍ବପର୍ବାଣି) ପ୍ରତ୍ୟେକ ରାଜ୍ୟର କେନ୍ଦ୍ର ସରକାରୀ କର୍ମଚାରୀ ଆଞ୍ଚଳିକ କଲ୍ୟାଣ ସହଯୋଗ ସମିତି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ, ଯାହା ପରୋକ୍ଷରେ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ମିଳିଥାଏ। ଅର୍ଥାତ୍‌ ସମୁଦାୟ ୧୭ଟି ଛୁଟିରୁ ତିନୋଟି ଜାତୀୟ ଛୁଟି ଦିବସକୁ ଛାଡ଼ିଦେଲେ ବାକି ୧୪ଟି ଛୁଟି ଧର୍ମୀୟ ଭାବନା ଆଧାରରେ ନିର୍ଦ୍ଧାରିତ। ଶିକ୍ଷକମାନଙ୍କୁ ଛାଡ଼ିଦେଲେ ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାରୀ କର୍ମଚାରୀମାନେ ଊଣା ଅଧିକେ ଏହିଭଳି ଛୁଟି ପାଇଥାନ୍ତି।
୨୦୧୧ ଜନଗଣନା ଅନୁଯାୟୀ, ଭାରତରେ ଉପରୋକ୍ତ ନିର୍ଦ୍ଦିଷ୍ଟ ଛଅଗୋଟି ସମ୍ପ୍ରଦାୟ ବ୍ୟତୀତ ଇହୁଦି ଓ ପାର୍ସୀ ଭଳି ଅନ୍ୟ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ବାସ କରନ୍ତି। ସେମାନଙ୍କ ପାଇଁ ଏହି ଛଅଗୋଟି ସମ୍ପ୍ରଦାୟ ଭଳି ନିର୍ଦ୍ଦିଷ୍ଟ ଛୁଟିର ପ୍ରାବଧାନ ନାହିଁ। ସେହିଭଳି ଭାରତର ସମୁଦାୟ ଜନସଂଖ୍ୟାର ୮.୬% ଆଦିବାସୀ(ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୨୨.୮୫% ଆଦିବାସୀ) ଥିଲେ ବି ସେମାନଙ୍କ ଦ୍ବାରା ପାଳିତ କୌଣସି ପର୍ବକୁ(ଯେମିତି ଆମ ଓଡ଼ିଶାର ‘କୋରାପୁଟ ପରବ’) କେନ୍ଦ୍ର ସରକାରଙ୍କ ଛୁଟି ତାଲିକାରେ ନାହିଁ। ଓଡ଼ିଶାର ସବୁଠାରୁ ଲୋକପ୍ରିୟ ପର୍ବ ରଜ ମହୋତ୍ସବ, ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଏବଂ ନୂଆଖାଇ ଭଳି ସର୍ବାଦୃତ କୃଷିଭିତ୍ତିକ ପର୍ବ କେନ୍ଦ୍ର ସରକାରଙ୍କ ଉପରୋକ୍ତ ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ। ତେଣୁ ସବୁ ରାଜ୍ୟ, ସବୁ ସମ୍ପ୍ରଦାୟକୁ ୧୭ଟି ଛୁଟି ଭିତରେ ସମାନ ନ୍ୟାୟ ପ୍ରଦାନ ନ କରିପାରିବା କେନ୍ଦ୍ର ସରକାରଙ୍କ ଏକ ବାଧ୍ୟବାଧକତା କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ପ୍ରଶ୍ନ ଉଠେ, ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଅନେକ ଧର୍ମାବଲମ୍ବୀ ବାସ କରୁଥିବାବେଳେ ନିର୍ଦ୍ଦିଷ୍ଟ କେତୋଟି ସମ୍ପ୍ରଦାୟର ପୂଜାପାର୍ବଣକୁ ପ୍ରାଧାନ୍ୟ ଦେଇ ଧର୍ମୀୟ ଚିନ୍ତାଧାରା ଆଧାରରେ କେଉଁ ସମ୍ପ୍ରଦାୟକୁ ବେଶି ତ ଆଉ କେଉଁ ସମ୍ପ୍ରଦାୟକୁ କମ୍‌ ଦିନର ସାର୍ବଜନୀକ ଛୁଟି ଘୋଷଣା କରିବା ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ କରିବା ସହ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଭିତରେ ଧର୍ମୀୟ ସଂକୀର୍ଣ୍ଣତାକୁ ପ୍ରଶ୍ରୟ ଦେଉନାହିଁ କି? ଯେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ପୂଜାପାର୍ବଣ ଅନ୍ୟ ବର୍ଗର ଲୋକେ ପ୍ରାୟ ପାଳନ କରନ୍ତି ନାହିଁ, ଧର୍ମଭିତ୍ତିକ ସାର୍ବଜନିକ ଛୁଟି ଘୋଷଣା କରି ପାତରଅନ୍ତର ନୀତି ଆପଣେଇବା ଏବଂ ସମୂହ କାର୍ଯ୍ୟ ଦିବସକୁ ସଙ୍କୁଚିତ କରି ଶ୍ରମଶକ୍ତି ନଷ୍ଟ କରିବା ସହ ଦେଶର ପ୍ରଗତିରେ ବାଧା ସୃଷ୍ଟି କରିବା ଆଦୌ ଯୁକ୍ତିଯୁକ୍ତ ମନେହୁଏନି।
ଛୁଟି ସମୂହର ଅନ୍ୟ ଏକ ଦିଗକୁ ଆଲୋଚନା କଲେ ଦେଖାଯାଏ ଯେ କେନ୍ଦ୍ର ସରକାରଙ୍କ ଅଧୀନ ପ୍ରଶାସନିକ କାର୍ଯ୍ୟାଳୟଗୁଡିକ(ଯାହାର ଦୈନିକ କାର୍ଯ୍ୟ ସମୟ ସାଢ଼େ ଆଠଘଣ୍ଟା)ର କର୍ମଚାରୀମାନେ ସପ୍ତାହକୁ ୫ଦିନ କାର୍ଯ୍ୟ କରି ଏବଂ ବାର୍ଷିକ ୧୩୧ ଦିନ ଛୁଟି (ସାର୍ବଜନିକ ଛୁଟି ୧୭ ଦିନ, ପ୍ରତ୍ୟେକ ଶନିବାର ଓ ରବିବାର ମିଶି ୧୦୪ ଦିନ ଏବଂ ସାମୟିକ ତଥା ନିୟନ୍ତ୍ରିତ ଛୁଟି ୧୦ ଦିନ) ଉପଭୋଗ କରି ବର୍ଷର ବାକି ୨୩୪ଟି କାର୍ଯ୍ୟ ଦିବସରେ ମୋଟ ୧୯୮୯ ଘଣ୍ଟା କାର୍ଯ୍ୟ କରୁଥିବା ବେଳେ ପ୍ରାୟୋଗିକ (ଅପରେଟିଭ) କାର୍ଯ୍ୟାଳୟ (ଯାହାର କାର୍ଯ୍ୟ ସମୟ ଆଠଘଣ୍ଟା)ର କର୍ମଚାରୀମାନେ ସପ୍ତାହକୁ ୬ଦିନ କାମ କରିବା ସହ ବାର୍ଷିକ ମାତ୍ର ୭୯ ଦିନ ଛୁଟି (ସାର୍ବଜନିକ ଛୁଟି ୧୭ ଦିନ, ରବିବାର ୫୨ ଦିନ ଏବଂ ସାମୟିକ ତଥା ନିୟନ୍ତ୍ରିତ ଛୁଟି ୧୦ ଦିନ) ଉପଭୋଗ କରି ବର୍ଷର ବାକି ୨୮୬ଟି କାର୍ଯ୍ୟ ଦିବସରେ ମୋଟ ୨୨୮୮ ଘଣ୍ଟା କାର୍ଯ୍ୟ କରିଥାନ୍ତି। ଗୋଟିଏ ସରକାର ଓ ଗୋଟିଏ ବିଭାଗ ଅଧୀନରେ ପ୍ରାୟୋଗିକ ଦପ୍ତରର ପ୍ରତିପକ୍ଷଠାରୁ ବାର୍ଷିକ ୨୯୯ ଘଣ୍ଟା (୨୨୮୮-୧୯୮୯) କମ୍‌ କାମ କରି ମଧ୍ୟ ପ୍ରଶାସନିକ ଦପ୍ତରର କର୍ମଚାରୀମାନେ ଅଧିକ ଛୁଟି ପାଇଥାନ୍ତି। ଅଧିକ ସମୟ କାମ କରୁଥିବା କର୍ମଚାରୀ କମ୍‌ ଦିନ ଛୁଟି ଉପଭୋଗ କରିବା ସମାନତାର ଅଧିକାର ପ୍ରତି ଏକ ବଡ଼ ବିଦ୍ରୂପ।
ଅଧିକନ୍ତୁ; ପ୍ରତ୍ୟେକ ରାଜ୍ୟର କେନ୍ଦ୍ର ସରକାରୀ କର୍ମଚାରୀ ଆଞ୍ଚଳିକ କଲ୍ୟାଣ ସହଯୋଗ ସମିତିର ଅଧ୍ୟକ୍ଷ ଓ ସଭ୍ୟମାନେ ପ୍ରଶାସନିକ କାର୍ଯ୍ୟାଳୟର ଅଧିକାରୀ ହୋଇଥିବାରୁ ସେମାନେ ଚୟନ କରୁଥିବା ତିନୋଟି ଛୁଟି ସେମାନଙ୍କ ସୁବିଧା ଅନୁସାରେ ଘୋଷଣା କରନ୍ତି। ଉଦାହରଣ ସ୍ବରୂପ ଦୁର୍ଗାଷ୍ଟମୀ ଯଦି ଗୁରୁବାର ପଡିଲା, ତେବେ ଦୁର୍ଗାପୂଜା ପାଇଁ ଉଦ୍ଦିଷ୍ଟ ଅତିରିକ୍ତ ଛୁଟିଦିନଟି ଦଶମୀ ପରିବର୍ତ୍ତେ ମହାନବମୀ ପାଇଁ (ଶୁକ୍ରବାର) ଘୋଷିତ ହେବା ଥୟ, ଯାହା ଦ୍ବାରା ପ୍ରଶାସନିକ କାର୍ଯ୍ୟାଳୟର କର୍ମଚାରୀମାନେ ଏକାଦିକ୍ରମେ ଚାରିଦିନ ଛୁଟି ପାଇପାରିବେ। ଉପରୋକ୍ତ ୧୨ଟି ନିର୍ଦ୍ଧାରିତ ଛୁଟି ମଧ୍ୟରୁ ଯେଉଁଟି ଶୁକ୍ରବାର କିମ୍ବା ସୋମବାରରେ ପଡୁଥିବ, ସେହିଦିନ ପାଇଁ ଛୁଟି ଘୋଷିତ ହେବ, ଯାହା ଦ୍ବାରା ପ୍ରଶାସନିକ କାର୍ଯ୍ୟାଳୟର କର୍ମଚାରୀମାନେ ଏକାଦିକ୍ରମେ ତିନିଦିନ ଛୁଟି ପାଇପାରିବେ। ଡାକଘର ଭଳି କେତେକ କେନ୍ଦ୍ର ସରକାରୀ ଅପରେଟିଭ ଅଫିସରେ ଏକାଦିକ୍ରମେ ତିନିଦିନ ଛୁଟି ପଡ଼ିଲେ, ମଝି ଦିନଟି ଡାକଘର ଖୋଲିବାକୁ ଏକ ବୈଧାନିକ ଆଦେଶ ମଧ୍ୟ ରହିଛି, ଯାହା ସେମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା। ହୋଲି ଭଳି ପର୍ବରେ ରଙ୍ଗ ଅବିର ମାଡ଼ ଖାଇ ଡାକ କର୍ମଚାରୀ କାର୍ଯ୍ୟ ସମ୍ପାଦନ କରିବାର ବହୁ ନଜିର ରହିଛି। ବିଶେଷ ଭାବେ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ବ୍ୟାଙ୍କ ଓ ଜୀବନ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର କର୍ମଚାରୀମାନେ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ଛୁଟି ପାଉଥିବା ବେଳେ ଡାକଘର ଭଳି କେନ୍ଦ୍ର ସରକାରୀ ଅପରେଟିଭ ଅଫିସର କର୍ମଚାରୀମାନେ ସେଥିରୁ ବଞ୍ଚିତ।
‘ଗୋଟିଏ ରାଷ୍ଟ୍ର, ଗୋଟିଏ ପରିଚୟ ପତ୍ର’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ଭଳି ଅନେକ କଥା ଚିନ୍ତା କରୁଥିବା କେନ୍ଦ୍ର ସରକାର, ଗୋଟିଏ ରାଷ୍ଟ୍ରର କର୍ମଚାରୀଙ୍କ ପାଇଁ ଗୋଟିଏ ପ୍ରକାର ଛୁଟିର ପ୍ରାବଧାନ କରିବା ଯୁକ୍ତିଯୁକ୍ତ ମନେହୁଏ। ଅଧିକନ୍ତୁ; ଦେଖାଯାଇଛି, ଅନେକ ସମୟରେ କେନ୍ଦ୍ର ସରକାର ଉପରୋକ୍ତ ୧୭ଟି ଛୁଟି ବ୍ୟତୀତ, ସୁଭାଷ ବୋଷ ଜୟନ୍ତୀ, ଆମ୍ବେଡକର ଜୟନ୍ତୀ, ବିବେକାନନ୍ଦ ଜୟନ୍ତୀ ଭଳି ଦିବସକୁ ମଧ୍ୟ ବିଶେଷ ଛୁଟି ଦିବସ ଭାବେ ଘୋଷଣା କରିଥାନ୍ତି। ଧର୍ମୀୟ ଭାବନା ଆଧାରିତ ୧୪ଟି ଛୁଟି ବଦଳରେ ତିନୋଟି ଜାତୀୟ ଛୁଟିକୁ ପରିବର୍ଦ୍ଧିତ କରି ସୁଭାଷ ବୋଷ, ଆମ୍ବେଡକରଙ୍କ ଭଳି ଦେଶ ପାଇଁ ବଳିଦାନ ଦେଇଥିବା କିମ୍ବା ବିଭିନ୍ନ କ୍ଷେତ୍ରରେ ଜାତୀୟ ସ୍ତରରେ ଦେଶ ପାଇଁ ଅମଳିନ ଛାପ ଛାଡ଼ି ଯାଇଥିବା ମହାପୁରୁଷଙ୍କ ନାମରେ ସମୁଦାୟ ୧୭ଟି ଛୁଟିକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ବିଚାର କରିବା ଉଚିତ।

  • ବୃହସ୍ପତି ସାମଲ
    ମୋ: ୯୪୩୭୦୨୨୬୬୯

Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri