ପରଜଙ୍ଗ, ୨୭।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ଗୋଠସାହିକୁ ସଂଯୋଗ କରୁଥିବା ମାଟିରାସ୍ତା ଲଗାଣ ବର୍ଷାରେ ଶୋଚନୀୟ ହୋଇପଡ଼ିଛି। ଉକ୍ତ କଚ୍ଚା ସଡ଼କ ଗୋଠସାହିରୁ କମଡେଇ ପର୍ଯ୍ୟନ୍ତ ଲମ୍ବିଥିବାବେଳେ ଏହା ଉପରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ନିର୍ଭରଶୀଳ। ପଞ୍ଚାୟତ ଅଧୀନରେ ଏହି ରାସ୍ତା ଥିବାବେଳେ ଏହାର ମରାମତି କରାଯାଉ ନ ଥିବାରୁ ଖାଲଖମାରେ ଭର୍ତ୍ତି ହୋଇଛି। ବର୍ଷା ହେଲେ ଗ୍ରାମବାସୀ, ଛାତ୍ରୀଛାତ୍ର ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏ ନେଇ ସାହିବାସୀ ପଞ୍ଚାୟତ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ଅଭିଯୋଗ କରି ଆସୁଥିଲେ ମଧ୍ୟ ରାସ୍ତା ପକ୍କା କରିବା ଦିଗରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ନିର୍ବାଚନ ଆସିଲେ ନେତାମାନେ ଆସି ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିଗଲେ କାହାରି ଦେଖା ମିଳୁନାହିଁ ବୋଲି ସାହିବାସୀ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବାବଦରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଉକ୍ତ ସଡ଼କ ପ୍ରତି ସମସ୍ତେ ଆଖି ବୁଜି ଦେଇଛନ୍ତି। ତୁରନ୍ତ ଉକ୍ତ ଗ୍ରାମ୍ୟ ସଡ଼କକୁ ପକ୍କା କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ସାହିବାସୀ ଚେତାବନୀ ଦେଇଛନ୍ତି।