ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା: ପୋଲିସ ମୁଖ୍ୟାଳୟକୁ ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି

ଭୁବନେଶ୍ୱର,୨୨ା୮(ଅନିଲ ଦାସ):   ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ରାଜ୍ୟ ସରକାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି।  ତାଙ୍କ ସ୍ତ୍ରୀ ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ନିର୍ଯାତନା  ଦେଇଥିବା ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଡିଆଇଜି ବ୍ରିଜେଶଙ୍କ ବାସଭବନରେ ନିୟୋଜିତ ହୋଇଥିଲେ ମହିଳା ହୋମ୍‌ଗାର୍ଡ ସୈରିଦ୍ରୀ ସାହୁ। ଡିଆଇଜିଙ୍କ ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି ସୈରିଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।  ତାଙ୍କର ଦୁଇଟି ଯାକ ଗୋଡ଼ କଟି ଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି।  ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ମାମଲା ରୁଜୁ ହୋଇଛି। ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ଏନ୍‌ଏଚ୍‌ଆର୍‌ସିରେ ଏହି ଏତଲା ଦିଆଯାଇଛି।
ସେହିପରି ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ମାମଲା ରୁଜୁ କରିବା ସହ ତଦନ୍ତ କରି ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ  ରିପୋର୍ଟ ଦେବାକୁ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Share