ରାସ୍ତା ମଝିରେ ଗାତ ଖୋଳି ଚାଲିଛି ପାଇପ ବିଛା କାମ

ଉମରକୋଟ, ୫।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ଉମରକୋଟ ପୌର ପରିଷଦ ଅଧୀନ ଦର୍ଗାଗୁଡ଼ା ରାସ୍ତା ମଝିରେ ଗାତ ଖୋଳି ପାଇପ ବିଛେଇ ଚାଲିଛି ଜନସ୍ବାସ୍ଥ୍ୟ ବିଭାଗ।
କିଛିଦିନ ତଳେ ପୌର ପରିଷଦ ପକ୍ଷରୁ ଦର୍ଗାଗୁଡ଼ା କେନାଲ ଛକରେ ଚାରୋଟି ଭେଣ୍ଡିଂ ଜୋନ୍‌ ତିଆରି କରାଯାଇଥିଲା। ଭେଣ୍ଡିଂ ଜୋନ୍‌ ସମ୍ମୁଖରେ ପେଭର ଇଟା ପକାଯାଇଥିଲା। ଏବେ ଉକ୍ତ ଇଟାଗୁଡ଼ିକୁ ଭାଙ୍ଗି ପାଣିପାଇପ ବିଛାଯାଇଛି। ପୌର ପରିଷଦ ନିୟମାନୁଯାୟୀ ଉକ୍ତ କାର୍ଯ୍ୟ କରିବା ପୂର୍ବରୁ ପୌର ପରିଷଦରୁ ଅନୁମତି ନେବା କଥା। ଏଥିସହ କିଛି ଅର୍ଥ ପୌର ପରିଷଦରେ ପୈଠ କରାଯିବା ନିୟମ ମଧ୍ୟ ରହିଛି। କୌଣସି ନିୟମ ନ ମାନି ଜନସ୍ବାସ୍ଥ୍ୟ ବିଭାଗ ମନଇଚ୍ଛା କାର୍ଯ୍ୟ କରିଚାଲିଛି। ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀ ଋଷି ମାଝିଙ୍କୁ ପଚାରିବାରୁ ଘଟଣା ବିଷୟରେ ଜାଣିନାହିଁ। ଆପଣଙ୍କ ମାଧ୍ୟମରେ ଜାଣିଲି। କାର୍ଯ୍ୟ କରିଥିବା ଜନସେବା ସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ତୁରନ୍ତ ମରାମତି ପାଇଁ କୁହାଯିବ ବୋଲି ସେ କହିଛନ୍ତି। ଜନସେବା ସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ବୁଧବାର ସୁଦ୍ଧା ପେଭର ଇଟା ପକାଇ ମରାମତି କରିଦେବେ ବୋଲି ସେ ସୂଚନା କହିଛନ୍ତି।