ପୁରୀ ଅଫିସ,୪।୨: ବହୁ ଚର୍ଚ୍ଚିତ ଏମାର ମଠର ଶୁକ୍ରବାର ପୁଣିଥରେ ଯାଞ୍ଚ କରାଯିବା ସହ ଖନନ କାର୍ଯ୍ୟ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୬ରେ ଏମାର ମଠରେ ୩ଟି ସ୍ଥାନକୁ ଚିହ୍ନଟ ପରେ ବୈଷୟିକ ଟିମ୍ ସହାୟତାରେ ଖନନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଜିଲାପାଳ, ମଠ ପରିଚାଳନା କମିଟି, ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ୩ଟି ସ୍ଥାନ ଖନନ ହୋଇଥିଲେ ହେଁ ସେଠାରୁ ଗୋଟିଏ ଲୁହା କଣ୍ଟା ଓ ଲୁହାମୁଣ୍ଡା ସହ ଆଉ କିଛି ମିଳି ନ ଥିଲା। ବହୁ ଆଡମ୍ବରରେ ଏହା ଲଘୁ କ୍ରିୟା ପରି ହୋଇଥିବା ବେଳେ ବୋର୍ଡ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଟ୍ରଷ୍ଟ ବୋର୍ଡ଼ ଅଧ୍ୟକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ୫୨୨ ଖଣ୍ଡ ରୁପା ଇଟା ମିଳିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୪୫ ଖଣ୍ଡ ରୁପା ଇଟା ମିଳିଥିଲା। ତେବେ ଆଉ କିଛି ଗୁପ୍ତ ଧନ ମାଟି ତଳେ ଥାଇପାରେ , ସେ ସନ୍ଦେହରେ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଦେବୋତ୍ତର, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ଦ୍ୱାରା ମଠର ଯାଞ୍ଚ କରାଯାଇଥିଲା। ଚଟାଣ ତଳେ ଧାତବ ପଦାର୍ଥ ଥିବା ସନ୍ଦେହରେ ତିନୋଟି ସ୍ଥାନକୁ ଚିହ୍ନଟ କରି ବର୍ଗାକାର କରାଯାଇଥିଲା। ବୈଷୟିକ ଟିମର ରିପୋର୍ଟ ପରେ ଆଜି ଚିହ୍ନଟ ହୋଇଥିବା ମଠର ଚଟାଣକୁ ପୁନର୍ବାର ଯାଞ୍ଚ କରାଯିବା ସହଖନନ କରାଯାଇଥିଲା।