ଖୋଳୁଛନ୍ତି ଅଧିକ ଢଳେଇ କରୁଛନ୍ତି କମ୍‌

ନାଉଗାଁ,୧୫ା୯(ସୁଧା ବେହୁରା): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବା ସହ ପାଇପ୍‌ ଲାଇନ୍‌ ବିଛାକାର୍ଯ୍ୟ ଜାରି ରହିଛି। ଠିକାଦାରଙ୍କ ଦ୍ୱାରା ଏସବୁ କାର୍ଯ୍ୟ ଚାଲିଥିବାବେଳେ ତଦାରଖ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ରହିଛି। ଏହି ଯୋଜନାରେ ପ୍ରତି ଗୃହକୁ ପାନୀୟ ଜଳ ପାଇପ୍‌ ସଂଯୋଗ କରାଯାଉଛି। ଏଥିପାଇଁ କେଉଁଠି ପୂର୍ତ୍ତ ବିଭାଗର ରାସ୍ତା ପାର୍ଶ୍ୱ ଖୋଳା ଯାଉଥିବା ବେଳେ ଆଉ କେଉଁଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଖୋଳା ଯାଉଛି। ଏପରିକି କିଛି ସ୍ଥାନରେ ଗ୍ରାମ୍ୟ ରାସ୍ତା ମଧ୍ୟ ଖୋଳା ଯାଉଛି। ନିୟମ ଅନୁସାରେ ଠିକାଦାର ଢଳେଇ ରାସ୍ତାର ଯେତିକି ଅଂଶ ଖୋଳିବେ ସେତିକି ଅଂଶ ଢଳେଇ ପକାଇ ରାସ୍ତାକୁ ପୋତିବେ। ମାତ୍ର ନିଯୁକ୍ତି ପାଇଥିବା ଠିକାଦାର ରାସ୍ତା ପାର୍ଶ୍ୱର ଢଳେଇ ୬ ଇଞ୍ଚ ଖୋଳି ପାଇପ ବିଛାଉଥିବା ବେଳେ ପୁନର୍ବାର ମାତ୍ର ୨ଇଞ୍ଚର ଢଳେଇ ପକାଉଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏବେ ନାଉଗାଁ-ଡାବର ରାସ୍ତାର ନାଉଗାଁ ବଜାରଠାରୁ ଗୋଠଦା ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଖୋଳା ଯାଇ ପାଇପ୍‌ ବିଛା କାର୍ଯ୍ୟ ଚାଲିଛି। ଏଠାରେ ଠିକାଦାର ରାସ୍ତା ଖୋଳିବା ପରେ ମନୋମୁଖି ଭାବେ ଢଳେଇ ପକାଇଥିବା କୁହାଯାଉଛି। ସମ୍ପୃକ୍ତ ଠିକାଦାର ରାତିଅଧିଆ ଢଳେଇ ପକାଇ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.ରମାକାନ୍ତ ମିଶ୍ର କାର୍ଯ୍ୟସ୍ଥଳ ତଦାରଖ କରିଛନ୍ତି। ସେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ତାଗିଦା କରିବା ସହ ପୁନର୍ବାର ରାସ୍ତା ଖୋଳି ୨ ଇଞ୍ଚ ଜାଗାରେ ୬ ଇଞ୍ଚର ଢ଼ଳେଇ କରିବାକୁ କହିଛନ୍ତି।

Share