Advertisement

ପାଇପ ବିଛାଇବା ପାଇଁ ଖୋଳି ଦେଉଛନ୍ତି ଗ୍ରାମ୍ୟ ରାସ୍ତା

ଭାପୁର,୧୪।୮(ଭରତ କୁମାର ବେହେରା): ରାଜ୍ୟ ସରକାର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପର ପରିକଳ୍ପନା କରିବା ସହିତ ଏଥିପାଇଁ ସ୍ବତନ୍ତ୍ର ଅର୍ଥର ବ୍ୟବସ୍ଥା କରିଛନ୍ତି। ତେବେ କାମ କରୁଥିବା ଠିକା ସଂସ୍ଥାର ମନମୁଖୀ କାମ ଯୋଗୁ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ବଢ଼ିଛି। ଭାପୁର ବ୍ଲକର ଶତାଧିକ ଗାଁକୁ ବିଶୁଦ୍ଧ ପାଇପ ପାଣି ଯୋଗାଇଦେବା ଲକ୍ଷ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଏଥିପାଇଁ ମହାନଦୀ ଜଳକୁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ହାତେଇଥିବା ଠିକା ସଂସ୍ଥା ଏଥିପାଇଁ ବ୍ଲକ ଅଧୀନ ସମସ୍ତ ୨୦ପଞ୍ଚାୟତରେ ପାଇପ ବିଛାଇବା କାମ ଆରମ୍ଭ କରିଛି। ଏଥିପାଇଁ ରାଜ୍ୟ ସରକାର ହାଇଦ୍ରାବାଦର ଜିଭିପିଆର ଇଞ୍ଜିନିୟରର୍ସ ଲିମିଟେଡ କମ୍ପାନୀକୁ ଚୟନ କରାଯାଇଛି। ଜିଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଏହି ସଂସ୍ଥାର ମୁଖ୍ୟ କାମ। ତେବେ ସଂସ୍ଥା ପକ୍ଷରୁ ଜେସିବି ଯୋଗେ ବିଭିନ୍ନ ଗ୍ରାମରେ ପାଇପ ବିଛା ଯାଉଥିବା ବେଳେ ସାମନ୍ୟ ବର୍ଷା ଯୋଗୁ ଗ୍ରାମ୍ୟ ରାସ୍ତାରେ ଯିବା ଆସିବା କରିବା ବର୍ତ୍ତମାନ ସବୁଠୁ ବଡ଼ ସମସ୍ୟା ହୋଇଛି। ଖାଲି ସେତିକି ନୁହେଁ ପ୍ରତି ଗାଁରେ ସିମେଣ୍ଟ କଂକ୍ରିଟ ରାସ୍ତା ମଝିରେ ପାଇପ ବିଛାଯିବାକୁ ନେଇ ଅସନ୍ତୋଷ ବଢୁଛି। ଉକ୍ତ ସଂସ୍ଥା ଦ୍ୱାରା ରାସ୍ତା ଖୋଳାଯାଇ ପାଇପ ବିଛା ସରିବା ପରେ ମରାମତି କରାଯାଉ ନ ଥିବା ଅଭିଯୋଗ ହୋଇଛି। ମାଟି ରାସ୍ତାକୁ ଠିକ ଢଙ୍ଗରେ ବନ୍ଦ କରିଦେଉଥିଲେ ମଧ୍ୟ କଂକ୍ରିଟ ରାସ୍ତାକୁ ନଷ୍ଟ କରାଯାଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ପଦ୍ମାବତୀ ସରପଞ୍ଚ ଅଜୟ କୁମାର ମଲିକ ଅଭିଯୋଗ କରିଛନ୍ତି କେତେଜଣ ବ୍ୟକ୍ତି ମେଶିନ ସାହାଯ୍ୟରେ ସିମେଣ୍ଟ କଂକ୍ରିଟ ରାସ୍ତା ଖୋଳି ଗାଁ ରାସ୍ତା ନଷ୍ଟ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପାଇପ ପଡୁନାହିଁ। ଭାପୁର ବ୍ଲକର ବିଜିପୁର, ସୁନାଖଳା,ମାଳିବେରଣୀ ଗାଁ ରାସ୍ତା ଖୋଳି ଦେଇଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ଖାଲଢିପରେ ପଡ଼ି ଛୋଟବଡ଼ ଦୁର୍ଘଟଣା ଘଟୁଛି। ଜିଲା ପ୍ରଶାସନ ଏ ସଂକ୍ରାନ୍ତରେ ତୁରନ୍ତ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share