ଖଇରା, ୮।୧(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ରଟିଣା ବାଲିଶାସନ ନିକଟରେ କେତେଜଣ ବ୍ୟକ୍ତି ମାଙ୍କଡା ଓ ମୋରମ ଖୋଳିବା ନିଶାରେ ଚାଷଜମିକୁ ସଂଯୋଗ କରୁଥିବା ପାଣିନାଳକୁ ନଷ୍ଟ କରି ଦେଇଥିବାରୁ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ା ଚାଷୀମାନଙ୍କ ଅଭିଯୋଗ ପରେ ଖଇରା ତହସିଲଦାର ନାଳ ଭାଙ୍ଗିଥିବା ଜେସିବିକୁ ଜବତ କରିଛନ୍ତି ା
ଅଞ୍ଚଳଗୁଡିକରେ ମାଟି ତଳେ ମାଙ୍କଡା ଓ ମୋରମ ମହଜୁଦ ରହିଥିବାରୁ ବହୁ ସମୟରେ କେତେଜଣ ବ୍ୟକ୍ତି ମୋରମ ଲୁଟ୍ ଆଶାରେ ବହୁ ସରକାରୀ ଜମି ଆବଦ୍ଧ କରି ମାଙ୍କଡା ମୋରମ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଆସୁଛି। ଖୋଳିବା ପରେ ଗାତଗୁଡିକୁ ପରିତ୍ୟକ୍ତ ଅବସ୍ଥାରେ ଛାଡି ଦେଉଥିବା କାରଣରୁ ଜୀବଜନ୍ତୁଙ୍କ ଜୀବନହାନି ହେଉଥିବା ନେଇ ଅଭିଯୋଗ ହୋଇଆସୁଛି। ଘଟଣାକ୍ରମେ ଶୁକ୍ରବାର କେତେଜଣ ବ୍ୟକ୍ତି ମାଙ୍କଡା ଖୋଳିବା ପାଇଁ ଜେସିବିରେ ଜମିର ଉପରଭାଗକୁ ପରିଷ୍କାର କରୁଥିବା ବେଳେ ଚାଷ ଜମି ସଂଲଗ୍ନ ପାଣିନାଳକୁ ପୋତିବା ସହ ୨ ଧାରରେ ଥିବା ସିମେଣ୍ଟ ପାଚେରିକୁ ଭାଙ୍ଗି ଦେଇଥିଲେ। ଗାଡି ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ମହେନ୍ଦ୍ର କୁମାର ବେହେରା କହିଛନ୍ତି।