ଦୀଘା ବେଳାଭୂମି ସିଲ୍‌

ଭୋଗରାଇ,୪ ।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ସୌନ୍ଦର୍ଯ୍ୟମୟୀ ଦୀଘା ବେଳାଭୂମିକୁ ସେଠାକାର ସରକାର କୋଭିଡ୍‌ ନିର୍ଦ୍ଦେଶିକା ମାନି ପ୍ରଶାସନ ସୋମବାରଠାରୁ ୧୫ତାରିଖ ପର୍ଯ୍ୟନ୍ତ ସିଲ୍‌ କରିଦେଇଛନ୍ତି। ଦୀଘା ବେଳାଭୂମି ସିଲ୍‌ ପରେ ଓଡ଼ିଶାରୁ ଯାଇଥିବା ବହୁ ପର୍ଯ୍ୟଟକ ସେଠାରୁ ଫେରି ଉଦୟପୁର, ତାଳସାରୀ ବେଳାଭୂମିରେ ଭିଡ଼ ଜମାଇଥିଲେ। ତାଳସାରୀ ମେରାଇନ୍‌ ଥାନା ଓ ଚନ୍ଦନେଶ୍ୱର ଫାଣ୍ଡି ପୋଲିସ ପକ୍ଷରୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲେ ମଧ୍ୟ ଦଳ ଦଳ ପିକନିକ୍‌ ପାର୍ଟି ବିଭିନ୍ନ ସ୍ଥାନରେ ଭୋଜିଭାତ କରିଥିବା ସୂଚନା ମିଳିଛି। ବହୁ ପର୍ଯ୍ୟଟକ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ଗେଟ ବାହାରେ ରହି ମନ୍ଦିର ଦର୍ଶନ ସହିତ ଆରାଧନା କରିଥିଲେ।
ବେଳାଭୂମିରେ ପୋଲିସ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଥିବା ବେଳେ ଅମାନିଆଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏପରିକି ସମୁଦ୍ର ସୈକତରେ ଗାଧୁଆ ସ୍ଥାନଗୁଡ଼ିକରେ ୨୪ଘଣ୍ଟିଆ ପୋଲିସ ପହରା ଦେବା ସହିତ ବେଳାଭୂମିକୁ ରଶି ବାନ୍ଧି ସିଲ୍‌ କରାଯାଇଛି। ଦୀଘାରେ ସହସ୍ରାଧିକ ହୋଟେଲଗୁଡ଼ିକ ଦୈନିକ ସାନିଟାଇଜେଶନ୍‌ କରିବା ସହିତ ୫୦ଶତାଂଶ ଦୁଇଡୋଜ କରୋନା ଭ୍ୟାକଶିନ୍‌ ନେଇଥିବା ପର୍ଯ୍ୟଟକଙ୍କୁ ରହିବାର ସୁବିଧା ମିଳିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅପରପକ୍ଷରେ ପଶ୍ଚିମବଙ୍ଗର କରୋନା ଡେଲ୍‌ଟା ସାଙ୍ଗକୁ ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ହାରରେ ବୃଦ୍ଧି ଯୋଗୁ ସାଗରଦ୍ୱୀପରେ ୧୨ତାରିଖରେ ହେବାକୁ ଯାଉଥିବା ପ୍ରସିଦ୍ଧ ଗଙ୍ଗାସାର ମେଳା ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏହି ଭାରତ ପ୍ରସିଦ୍ଧ ମେଳା ପାଇଁ ସେଠାରେ ଚୂଡ଼ାନ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ବିଭିନ୍ନ ରାଜ୍ୟର ସାଧୁସନ୍ଥଙ୍କ ଆଗମନ ହୋଇଥିବାର ଦକ୍ଷିଣ ୨୪ପ୍ରଗଣା ଜିଲା ଶାସକ ଭି. ଉଲ୍ଗାନାଥନ ଧରିତ୍ରୀକୁ ସୂଚନା ଦେଇଛନ୍ତି। ସୂଚନା ଯେ, ମକର ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଜିଲାରୁ ଗଙ୍ଗାସାଗରରେ ମକରବୁଡ଼ ଦେବା ଲାଗି ପ୍ରାୟ ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁ ସେଠାକୁ ଯାଇଥାନ୍ତି।

Share