Categories: ବାଣିଜ୍ୟ

ସାଇବର ଠକେଇ ରୋକିବ ‘ଡିଜିଟା’

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଆର୍ଥିକ କାରବାରରେ ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି। ‘ଡିଜିଟା’ ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନରେ ରୋକ ଲଗାଇବାରେ ସହାୟକ ହେବ। ଏହା ନକଲି ଆପ୍‌ଗୁଡ଼ିକୁ ଚିହ୍ନଟ କରି ଡିଜିଟାଲ ଠକେଇରୁ ସୁରକ୍ଷା ଦେବ।

ସୂଚନା ଅନୁଯାୟୀ, ‘ଡିଜିଟା’ ଡିଜିଟାଲ ଦୁନିଆରେ ବେଆଇନ ଆପ୍‌ଗୁଡ଼ିକୁ ଯାଞ୍ଚ କରିବ। ଯଦି କମ୍ପାନୀଗୁଡିକ ଆର୍ଥିକ କ୍ଷେତ୍ରରେ କାମ କରିବାକୁ ଚାହାନ୍ତି ତେବେ ସେମାନଙ୍କୁ ‘ଡିଜିଟା’ ଦ୍ୱାରା ସେମାନଙ୍କର ଆପ ଯାଞ୍ଚ କରିବାକୁ ପଡିବ। ଏହି ଏଜେନ୍ସି ଆପ ପରୀକ୍ଷା କରିବା ପରେ ଆରବିଆଇକୁ ଏକ ରିପୋର୍ଟ ଦେବ। ‘ଡିଜିଟା’ ଗ୍ରାହକମାନଙ୍କୁ ଠିକ୍‌ ଆପ ଚିହ୍ନଟ କରିବାରେ ସାହାଯ୍ୟ କରିବ। ‘ଡିଜିଟା’ ଯାଞ୍ଚ ମାଧ୍ୟମରେ ଡିଜିଟାଲ ପ୍ଲାଟଫର୍ମରେ ଠିକ୍‌ ଏବଂ ନକଲି ଆପଗୁଡ଼ିକୁ ଚିହ୍ନିବା ଅତି ସହଜ ହେବ। ଗତ କିଛି ବର୍ଷ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଡିଜିଟାଲ ଋଣ ଦେଣନେଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମାତ୍ର ଏହି କାରଣରୁ, ଡିଜିଟାଲ ଠକେଇ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଏହିପରି ନକଲି ଋଣ ଆପରେ ଲୋକମାନେ ଫସିଯାଉଛନ୍ତି। ‘ଡିଜିଟା’ ଦ୍ୱାରା ଅନୁମୋଦିତ ହୋଇନଥିବା ଆପ୍‌ଗୁଡ଼ିକ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ ନାହିଁ। ଆଇଟି ମନ୍ତ୍ରଣାଳୟକୁ ଆରବିଆଇ ୪୪୨ ଡିଜିଟାଲ ଲ୍ୟାଣ୍ଡିଂ ଆପ ତାଲିକା ଦେଇଛି। ସେପ୍ଟେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ, ଗୁଗୁଲ ଏହାର ପ୍ଲେଷ୍ଟୋରରୁ ପ୍ରାୟ ୨୨୦୦ ଡିଜିଟାଲ ଲ୍ୟାଣ୍ଡିଂ ଆପ୍‌ ଅପସାରଣ କରିଛି। ଆରବିଆଇ ଦ୍ୱାରା ଅନୁମୋଦିତ ଆପଗୁଡ଼ିକୁ ହିଁ ଗୁଗୁଲ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛି।

Share