ତ୍ୟେକ ଦେଶର ପ୍ରଗତିରେ ଏକ ଦୃଢ଼ ଆର୍ଥିକ କ୍ଷେତ୍ର ବା ଆର୍ଥିକ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ମୁଖ୍ୟ ଭାବରେ ଆର୍ଥିକ ଅନିୟମିତତା ଯୋଗୁ ବିଶ୍ୱରେ ସମୟ ସମୟରେ ଅନେକ ଆର୍ଥିକ ସଙ୍କଟ ଦେଖାଯାଇଛି। ୧୭୭୨ରେ ଇଂଲଣ୍ଡରୁ ଉପୁଜିଥିବା କ୍ରେଡିଟ୍ ହେଉ କିମ୍ବା ୧୯୯୭ରେ ଏସିଆର ଆର୍ଥିକ ସଙ୍କଟ ହେଉ ବା ୨୦୦୮-୦୯ର ବୃହତ୍ ଆର୍ଥିକ ସଙ୍କଟ ହେଉ ମୁଖ୍ୟତଃ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଅନିୟମିତତା ଯୋଗୁ ହିଁ ଏପରି ହୋଇଥାଏ। ଭାରତରେ ବ୍ୟାଙ୍କିଙ୍ଗ୍ ସେକ୍ଟରର କାର୍ଯ୍ୟପ୍ରଣାଳୀ ଏବଂ ସରଳୀକରଣ ସମୟ ସମୟରେ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହୋଇଛି। ମୁଖ୍ୟ ଭାବରେ ରଙ୍ଗରାଜନ କମିଟିର ସୁପାରିସ୍ ପରେ ଭାରତରେ ୧୯୮୦ ଦଶକରୁ ପର୍ଯ୍ୟାୟକ୍ରମେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ କମ୍ପ୍ୟୁଟର ପ୍ରୟୋଗ କରାଯାଇଥିଲା। ପରେ ୧୯୯୧ ଜଗତୀକରଣ, ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଅଭିନବୀକରଣ ଓ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଇ-ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପାଦ ରଖିଥିଲା। ୧୯୯୬ ଆଇସିଆଇସିଆଇ ବ୍ୟାଙ୍କ୍ ଦ୍ୱାରା ପ୍ରଥମ ଇ-ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପରିଚାଳନା ପରେ ପ୍ରାୟତଃ ସବୁ ଭାରତୀୟ ବ୍ୟାଙ୍କ ଇ- ବ୍ୟାଙ୍କିଙ୍ଗ୍ର ସୁବିଧା ସମୟାନୁକ୍ରମେ ଯୋଗାଇ ଦେଇଥିଲେ।
ଆଇଟି ବିପ୍ଳବ ଏବଂ ଆଧୁନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଗ୍ରହଣ କରିବା ସତ୍ତ୍ୱେ ମଧ୍ୟ ଆମର ବ୍ୟାଙ୍କିଙ୍ଗ୍ ଏବଂ କାରବାର ବ୍ୟବସ୍ଥା ଯେଉଁସ୍ତରରେ ପହଞ୍ଚିବା ଆଶା କରାଯାଉଥିଲା, ସେପରି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରି ନ ଥିଲା। ଗ୍ରାମାଞ୍ଚଳର ଅଧିକାଂଶ ଲୋକ, ବିଶେଷକରି ଦୁର୍ବଳ ଶ୍ରେଣୀର ଲୋକମାନେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରୁ ବଞ୍ଚିତ ରହିଥିଲେ। ଅନ୍ଲାଇନ୍ କାରବାର, ମୋବାଇଲ ବ୍ୟାଙ୍କିଙ୍ଗ୍ ଓ ଡିଜିଟାଲ ପେମେଣ୍ଟ ସେମାନଙ୍କ ପାଇଁ ଦିବାସ୍ବପ୍ନ ଥିଲା। ଏପରି କି ସ୍ବାଧୀନତାର ୭୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯେଉଁମାନଙ୍କ ପାଖରେ ବ୍ୟାଙ୍କ୍ ଖାତା ନ ଥିଲା, ସେମାନଙ୍କ ପାଇଁ ବ୍ୟାଙ୍କ୍ ଖାତା ଖୋଲିଲା ଏବଂ ସେମାନଙ୍କୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଇବାର ଏକ ବୃହତ୍ ପ୍ରୟାସକୁ ବହୁମାତ୍ରାରେ ସଫଳତା ମିଳିଲା। ଏହାସହିତ ଡିଜିଟାଲ ବିଭାଜନକୁ ଦୂର କରାଯାଇ ଡିଜିଟାଲ ଉପଲବ୍ଧତା, ଡିଜିଟାଲ ଅନ୍ତର୍ଭୁକ୍ତୀକରଣ, ଡିଜିଟାଲ ସଶକ୍ତୀକରଣ ଏବଂ ଡିଜିଟାଲ କାରବାର ଉପରେ ଗୁରୁତ୍ୱ ଦିଆଯାଇଛି।
ଆଜିର ଦିନରେ ବର୍ଦ୍ଧିତ ବ୍ୟାଙ୍କିଙ୍ଗ୍ ସେବା ଏବଂ ନେଟ୍ୱର୍କ ସଂଯୋଗୀକରଣର ଉପଲବ୍ଧତା, ଉଭୟ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାରକୁ ଏକ ନୂତନ ସ୍ତରକୁ ନେଇଯାଇଛି। ପୂର୍ବରୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା ଡିଜିଟାଲ କାରବାରଗୁଡ଼ିକ ମୁଖ୍ୟତଃ ସହରାଞ୍ଚଳରେ ସୀମିତ ଥିବାବେଳେ ଏବେ ଉଭୟ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ ପେମେଣ୍ଟ ଉପଲବ୍ଧତା ଦେଶର ପ୍ରତ୍ୟେକ କୋଣରେ ପହଞ୍ଚତ୍ବାରେ ସକ୍ଷମ ହୋଇଛି। ମୁଖ୍ୟତଃ ବର୍ଦ୍ଧିତ ୟୁପିଆଇ କାରବାର ଛୋଟ ବ୍ୟବସାୟଠାରୁ ଆରମ୍ଭକରି ସାଧାରଣ ଜନତା ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଏହା ଦୁର୍ନୀତି, ନକଲି ମୁଦ୍ରା ଏବଂ ଟିକସ ଫାଙ୍କିବା ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ। ଡିଜିଟାଲ ଦେୟ ଦ୍ୱାରା ପ୍ରତ୍ୟେକ କାରବାର ଅର୍ଥନୀତିରେ ଦୃଶ୍ୟମାନ ହେବା ସହିତ ଦେୟ ପ୍ରମାଣକୁ ସୁରକ୍ଷିତ ରଖିଥାଏ, ଯାହା ବେଆଇନ କାର୍ଯ୍ୟକଳାପକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ୍ (ନାବାର୍ଡ) ୨୦୧୯ରେ ଏକ ଅଧ୍ୟୟନରେ କହିଛି – ଇଲେକ୍ଟ୍ରୋନିକ୍ ପେମେଣ୍ଟ ସିଷ୍ଟମ୍ କ୍ଷୁଦ୍ର ବ୍ୟବସାୟୀମାନଙ୍କର ଆର୍ଥିକ ପରିଚାଳନାରେ ଉନ୍ନତି ଆଣିବା ସହିତ କାରବାର ଖର୍ଚ୍ଚ ହ୍ରାସ କରିବ ଏବଂ ସେମାନଙ୍କ ରାଜସ୍ବ ବୃଦ୍ଧି କରିବାରେ ସାହାଯ୍ୟ କରିବ।
ୟୁପିଆଇ ହେଉଛି ଏକ ତତ୍କ୍ଷଣାତ୍ ରିୟଲ ଟାଇମ ପେମେଣ୍ଟ ସିଷ୍ଟମ୍, ଯାହା ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) ଦ୍ୱାରା ବିକଶିତ ହୋଇଛି। ଏହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ଏବଂ ବ୍ୟକ୍ତିଠାରୁ ବ୍ୟବସାୟିକ କାରବାରକୁ ସହଜ କରିଥାଏ। ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟରେ ତୁରନ୍ତ ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ଏହା ମୋବାଇଲ ଡିଭାଇସ୍ରେ ବ୍ୟବହୃତ ହୁଏ। ୨୦୧୬ରୁ ଆରମ୍ଭ ହୋଇଥିବା ୟୁପିଆଇ, ଭାରତରେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ବ୍ୟବହାର ରେକର୍ଡ ସୀମାକୁ ଅତିକ୍ରମ କରିଛି। ଫେବୃୟାରୀ ୨୦୨୩ ସୁଦ୍ଧା ଏହାକୁ (ୟୁପିଆଇ) ୨୬୦ ନିୟୁତରୁ ଅଧିକ ଭାରତୀୟ ବ୍ୟବହାର କରୁଛନ୍ତି। ଏନ୍ପିସିଆଇର ତଥ୍ୟ ଅନୁଯାୟୀ, ୨୦୨୨ କ୍ୟାଲେଣ୍ଡର ବର୍ଷରେ ୟୁପିଆଇ ବ୍ୟବହାର କରି ୧୨୫.୯୪ ଟ୍ରିଲିୟନ ଟଙ୍କା ମୂଲ୍ୟର ପ୍ରାୟ ୭୪ ବିଲିଅନ୍ କାରବାର କରାଯାଇଥିଲା। ଏହି ପ୍ଲାଟ୍ଫର୍ମ ୨୦୨୧ରେ ମୋଟ୍ ୭୧.୫୪ ଟ୍ରିଲିୟନ୍ ଟଙ୍କା ୩୮ ବିଲିଅନ୍ରୁ ଅଧିକ କାରବାର ଦ୍ୱାରା ନେଣଦେଣ ହୋଇଥିଲା। ଫଳସ୍ବରୂପ, ଏକ ବର୍ଷରେ ଏହି ପ୍ଲାଟ୍ଫର୍ମରେ ପ୍ରାୟ ୯୦ ପ୍ରତିଶତରୁ ଅଧିକ କାରବାର ଏବଂ ସେମାନଙ୍କ ହାରାହାରି ମୂଲ୍ୟ ୭୬ ପ୍ରତିଶତ ବୃଦ୍ଧି ହୋଇଛି ଓ ଜାନୁୟାରୀ ୨୦୨୩ ସୁଦ୍ଧା ଏହା ପ୍ରାୟ ୨୦୦ ବିଲିଅନ୍ ଡଲାର ମୂଲ୍ୟର ଅର୍ଥ ୮ ବିଲିଅନ କାରବାର ମାଧ୍ୟମରେ ନେଣଦେଣ ହୋଇ ରେକର୍ଡ କରିଥିଲା। ଡିସେମ୍ବର ୨୦୧୯ରେ ୟୁପିଆଇର ସଫଳତାକୁ ଲକ୍ଷ୍ୟକରି ଗୁଗ୍ଲ ଫେଡେରାଲ ରିଜର୍ଭ ବୋର୍ଡକୁ ୟୁପିଆଇ ଅନୁସାରେ କରିବାକୁ ଓ ଆମେରିକା ପାଇଁ ଏକ ରିୟଲ ଟାଇମ୍ ପେମେଣ୍ଟ ସିଷ୍ଟମ୍ କରିବା ନିମନ୍ତେ ପରାମର୍ଶ ହେଇଥିଲା। ୟୁପିଆଇ ପେମେଣ୍ଟର ଭୌଗୋଳିକ ବିସ୍ତାର ଏବଂ ଅନ୍ତର୍ଜାତୀୟକରଣ ଦ୍ୱାରା ଭାରତ ମୁଖ୍ୟତଃ ୨ଟି ଅନ୍ତର୍ନିହିତ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବ। ପ୍ରଥମତଃ ଏହା ଆର୍ଥିକ ଦୃଷ୍ଟିରୁ ଭାରତକୁ ସଶକ୍ତ କରିବ ଓ ଡଲାରର ମାଧ୍ୟମ ବିନା ସିଧାସଳଖ ବିଦେଶରୁ ଭାରତୀୟଙ୍କ ଦ୍ୱାରା ଅର୍ଥ ସ୍ଥାନାନ୍ତର କରାଯାଇପାରିବ। ଦ୍ୱିତୀୟରେ, ଗୁରୁତ୍ୱପୂର୍ଣ୍ଣ ଦେଶମାନଙ୍କ ମଧ୍ୟରେ ୟୁପିଆଇର ବ୍ୟବହାର ସୀମା ବିସ୍ତାର ଦ୍ୱାରା ବାହ୍ୟ ପ୍ରତିବନ୍ଧକ ସମୟରେ ମଧ୍ୟ ଭାରତକୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ। କାରଣ ପ୍ରତିବନ୍ଧକ ସମୟରେ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ବ୍ୟବହୃତ ଅନ୍ତର୍ଜାତୀୟ ଦେୟ ବ୍ୟବସ୍ଥା (ସୁଇଫ୍ଟ ସିଷ୍ଟମ୍)କୁ ବନ୍ଦ କରି ଆମେରିକା ଭଳି ରାଷ୍ଟ୍ର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହେଁ। ବର୍ତ୍ତମାନ ଆମେରିକା ଏଭଳି ପ୍ରତିବନ୍ଧକ ରୁଷିଆ ଉପରେ ଲଗାଇଛି ଏବଂ ୧୯୯୮ରେ ପରମାଣୁ ପରୀକ୍ଷଣ ସମୟରେ ଆମେରିକା ଭାରତ ଉପରେ ଏଭଳି ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ୟୁପିଆଇ ସିଷ୍ଟମ୍ ଆନ୍ତର୍ଜାତିକ ସ୍ତରରେ ଯେତେ ଅଧିକ ଗ୍ରହଣୀୟ ହେବ ଏଭଳି ପ୍ରତିବନ୍ଧକ ଭାରତ ଉପରେ ସେତେ କମ୍ ପ୍ରଭାବ ପକାଇବ। ସେହିଭଳି ଗଲ୍ଫ୍ ଦେଶରେ ରହୁଥିବା ସାଧାରଣ ଭାରତୀୟ ୱେଷ୍ଟର୍ନ ୟୁନିୟନ୍ ମାଧ୍ୟମରେ ଅର୍ଥ ପଠାଇଥାନ୍ତି, ଯାହା ମୂଳତଃ ସୁଇଫ୍ଟ ନେଟ୍ୱର୍କରେ ଅଛି କିନ୍ତୁ ୟୁପିଆଇର ଅନ୍ତର୍ଜାତୀୟକରଣ ଦ୍ୱାରା ବିନା ସୁଇଫ୍ଟ ମାଧ୍ୟମରେ ୟୁପିଆଇକୁ ସ୍ବୀକୃତି ଦେଇଥିବା ଦେଶମାନଙ୍କରୁ ଟଙ୍କା ପଠାଯାଇପାରିବ।
ୟୁପିଆଇ ସିଷ୍ଟମ୍କୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୮ରେ ଆର୍ବିଆଇ ମୁଦ୍ରାନୀତି କମିଟି ବୈଠକରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ୟୁପିଆଇ ପ୍ରବର୍ତ୍ତନ ପାଇଁ ଘୋଷଣା କରାଯିବ ବୋଲି ସ୍ପଷ୍ଟ କରିଥିଲା, ଯାହାକି ଜି-୨୦ ସଦସ୍ୟ ଦେଶଠାରୁ ଆରମ୍ଭ କରାଯାଇଛି। ଏହି ଜି-୨୦ ଦେଶ ତଥା ଅଣବାସିନ୍ଦା ଭାରତୀୟଙ୍କୁ ସେମାନଙ୍କ ବାଣିଜି୍ୟକ ଦେୟ ପାଇଁ ଅନୁମତି ଦେଇଛି। ଆଜିର ସମୟରେ ଦଶଟି ଦେଶ (ସିଙ୍ଗାପୁର, ଆମେରିକା, ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ୍, କାତାର, ସାଉଦି ଆରବ, ୟୁଏଇ ଏବଂ ବ୍ରିଟେନ)ରେ ଥିବା ଭାରତୀୟ ସେମାନଙ୍କର ଭାରତ ଫୋନ୍ ନମ୍ବର ଉପରେ ନିର୍ଭର ନ କରି କାରବାର ପାଇଁ ୟୁପିଆଇ ସେବା ପାଇପାରିବେ।
– ଡ. ପ୍ରୀତିଶ୍ କୁମାର ସାହୁ
ପ୍ରାଧ୍ୟାପକ, ଆଇଏମ୍ଆଇ, ଭୁବନେଶ୍ୱର
ମୋ: ୭୩୮୧୭୩୩୧୮୭