ଶାଙ୍ଗ୍-ଜିନ୍ ଓ୍ବି
ଟେସ୍ଲା ସିଇଓ ଏଲନ୍ ମସ୍କ ଡୋଜ୍କଏନ ଏବଂ ବିଟ୍କଏନ ଭଳି କ୍ରିପ୍ଟୋକରେନ୍ସିଗୁଡ଼ିକୁ ପ୍ରୋତ୍ସାହିତ କରୁଥିବାରୁ ତାହାର ମୂଲ୍ୟ ଖୁବ୍ ଶୀଘ୍ର ବୃଦ୍ଧିପାଉଛି। ଏହି ପ୍ରାଇଭେଟ ଡିଜିଟାଲ୍ ମନି ବା ବେସରକାରୀ ଭର୍ଚୁଆଲ ମୁଦ୍ରାଗୁଡ଼ିକୁ ଗ୍ରହଣ ନ କରି କେତେକ ଦେଶ ଏହାର ଗତିକୁ ଲକ୍ଷ୍ୟ କରିବା ସହ ପରିଣାମକୁ ଦେଖିତ୍ତ୍ବାକୁ ଅପେକ୍ଷା କରିଛନ୍ତି। ହେଲେ ଏଲ୍ସାଲ୍ଭାଡର ବିଟ୍କଏନକୁ ସରକାରୀ ମୁଦ୍ରା ଭାବେ ଗ୍ରହଣ କରିସାରିଛି। ନ୍ୟୁୟର୍କ ଷ୍ଟେଟ୍ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ ସର୍ଭିସେସ୍ (ଏନ୍ଓ୍ବାଇଡିଏଫ୍ଏସ୍) କିଛି ପାଦ ଆଗକୁ ବଢିଛି। ଯେଉଁମାନେ କ୍ରିପ୍ଟୋକେରନ୍ସିଗୁଡ଼ିକ ସୃଷ୍ଟି କରି ଏହାର କାରବାର କରିବାକୁ ଚାହଁୁଛନ୍ତି ସେମାନଙ୍କୁ ଏହା ଲାଇସେନ୍ସ ପ୍ରଦାନ କରୁଛି। କିନ୍ତୁ ଚାଇନା ବିପରୀତ ଦିଗରେ ଯାଉଛି ଓ ନିକଟରେ ଉଭୟ କ୍ରିପ୍ଟୋକରେନ୍ସି ମାଇନିଂ ଏବଂ ଶେୟାର ବଜାରର କାରବାରର ମାଧ୍ୟମ ଭାବେ ତାହାର ବ୍ୟବହାରକୁ ବନ୍ଦ କରିଦେଇଛି। ଡିଜିଟାଲ କରେନ୍ସି ବା ଭର୍ଚୁଆଲ ମୁଦ୍ରାକୁ ନେଇ ବିଭିନ୍ନ ଦେଶର ବିପରୀତ ପ୍ରତିକ୍ରିୟା ରହିଥିବାରୁ ଭିନ୍ନ ଭିନ୍ନ କ୍ରିପ୍ଟୋକରେନ୍ସିଗୁଡ଼ିକର ସାମାଜିକ କ୍ଷତି କିମ୍ବା ଉପକାର ସମ୍ପର୍କରେ ଜାଣିବା ଆମ ପାଇଁ ମୁସ୍କିଲ। ତେବେ ବିନା ଆଇନଗତ ବାଧାରେ କୌଣସି ବ୍ୟବସ୍ଥା ଅଧୀନରେ ନରହି ମୁକ୍ତ ଭାବେ ବଜାରରେ ଚାଲୁଥିବା କ୍ରିପ୍ଟୋକରେନ୍ସି, ଷ୍ଟେବଲ୍କଏନ୍ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ୍ ଡିଜିଟାଲ କେରନ୍ସିଗୁଡ଼ିକ( ସିବିଡିସି) ସମ୍ପର୍କରେ ଆଲୋଚନା କରିବା । ଶେୟାର ବଜାରରେ ଚାଲୁଥିବା ଏଭଳି କ୍ରିପ୍ଟୋକରେନ୍ସିଗୁଡ଼ିକର ମୂଲ୍ୟ ବୃଦ୍ଧିର ଦୃଷ୍ଟାନ୍ତ ହେଉଛି ବିଟ୍କଏନ। ତାହାର ଦ୍ରୁତ ଅଭିବୃଦ୍ଧି ସତ୍ତ୍ୱେ, ଏହା ମନେରଖିବାକୁ ହେବ ଯେ, କ୍ରିପ୍ଟୋକରେନ୍ସିର କୌଣସି ଗୁରୁତ୍ୱପୂର୍ଣ୍ଣ ମୌଳିକ ମୂଲ୍ୟ ନାହିଁ ଓ ଏହାଦ୍ୱାରା ମୂଲ୍ୟ ହ୍ରାସ ଘଟିବାର ବହୁ ସମ୍ଭାବନା ରହିଛି। ଏବେ ପ୍ରଚଳିତ କ୍ରିପ୍ଟୋକରେନ୍ସିର ମୂଲ୍ୟକୁ ଲକ୍ଷ୍ୟକଲେ ସପ୍ତଦଶ ଶତାବ୍ଦୀର ନେଦରଲାଣ୍ଡ୍ର ଟୁଲିପ ପ୍ରାଇସ୍ ବବଲ ଘଟଣା ମନେପଡ଼ିଯାଏ। ଶେୟାର ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧି ହେବା ଫଳରେ ଏହା ମାର୍କେଟକୁ ଅଧିକ କ୍ରେତାଙ୍କୁ ଆକର୍ଷିତ କରିଥିଲା ଓ ମୂଲ୍ୟ ବୃଦ୍ଧି କରିଚାଲିଥିଲା। କିନ୍ତୁ ଟୁଲିପ ମାନିଆ ବେଶି ଦିନ ରହିଲା ନାହିଁ। ସେ କ୍ଷେତ୍ରରେ ଯେଭଳି ଘଟିଥିଲା ଭବିଷ୍ୟତରେ କ୍ରପ୍ଟୋକରେନ୍ସି ବୃଦ୍ଧିରେ ଆକସ୍ମିକ ଭାବେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ । ଏବେକାର କ୍ରପ୍ଟୋକରେନ୍ସି ସୃଷ୍ଟିକର୍ତ୍ତାମାନେ ଅଧିକ ସଂଖ୍ୟାରେ ଶେୟାର ବଜାର ଛାଡ଼ିଗଲା ପରେ ଏହାର ମୂଲ୍ୟ ନିମ୍ନଗାମୀ ହେବା ନିଶ୍ଚିତ।
ନିବେଶକ ଏବଂ ଶେୟାର କ୍ରୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ କ୍ରିପ୍ଟୋକରେନ୍ସିଗୁଡ଼ିକର ଆକର୍ଷଣ ରହିଛି। ସେମାନେ ଏହାକୁ ଏକ ଲଟେରି ଟିକେଟ ଭାବେ ଦେଖୁଛନ୍ତି। ଏହା ପାଇଁ ଯାହା ଦେବ ସେଥିରେ ଅଧିକ କ୍ଷତି ହେବନାହିଁ ବରଂ ଅତ୍ୟଧିକ ଲାଭ ହେବ ବୋଲି ସେମାନେ ବିଚାର କରୁଛନ୍ତି। କେଉର୍ଁମାନେ କ୍ରିପ୍ଟୋକରେନ୍ସି କାରବାର କରୁଛନ୍ତି ସେ ସମ୍ପର୍କିତ ଠିକ୍ ତଥ୍ୟ ଆମ ପାଖରେ ନାହିଁ। ଗବେଷଣାରୁ ଜଣାପଡ଼ିଛି, ସ୍ବଳ୍ପ ଧନୀ ନିବେଶକମାନେ କ୍ରିପ୍ଟୋକରେନ୍ସି ମାର୍କେଟ ପ୍ରତି ଆକର୍ଷିତ ହେବା ସମ୍ଭାବନା ରହିଛି। ଏକ ସୁରକ୍ଷିତ ଅନ୍ଲାଇନ ପ୍ଲାଟ୍ଫର୍ମରେ ଡିଜିଟାଲ କରେନ୍ସିର ଷ୍ଟୋରିଂ, ଟ୍ରାନ୍ସଫରିଂ ଏବଂ କାରବାର ଯେଭଳି ସୁରକ୍ଷିତ ରହିପାରୁଛି ସେହିଭଳି କ୍ରିପ୍ଟୋ ଏକ୍ସଚେଞ୍ଜରେ ଲଟେରି ଟିକେଟ କିଣିିବାଠାରୁ ଆହୁରି ସହଜରେ କ୍ରିପ୍ଟୋକରେନ୍ସି କାରବାର ବ୍ୟବସ୍ଥା କରାଯାଉଛି। ଏଥିରେ ସର୍ବନିମ୍ନ ୨ ଡଲାରରୁ କାରବାର କରାଯାଇପାରୁଛି। ଅପରପଟେ ବିନା ବୈଧାନିକ ବାଧାରେ ଚାଲୁଥିବା କ୍ରିପ୍ଟୋକରେନ୍ସିକୁ ଆମେରିକୀୟ ଡଲାର କିମ୍ବା ଜାପାନିଜ ୟେନ୍ ହେଉ କିମ୍ବା ସୁନା ଅବା ତେଲ ଭଳି ମୂଲ୍ୟବାନ୍ ଜିନିଷ ହେଉ;ଏହା ସହ କ୍ରିପ୍ଟୋକରେନ୍ସିର ମୂଲ୍ୟକୁ ଗୋଟିଏ ସ୍ତରରେ ଫିକ୍ସ କରାଯାଇ ଷ୍ଟେବଲ୍କଏନ୍ ଡିଜାଇନ କରାଯାଇଛି। ଏହାର ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଉଛି। ଏହାଦ୍ୱାରା କରେନ୍ସିଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଛି। କିନ୍ତୁ ଷ୍ଟେବଲ୍କଏନ ଜାରିକର୍ତ୍ତା ନିବେଶକଙ୍କ ସମ୍ପତ୍ତିର ଅନୁରୂପ କଏନ ମୂଲ୍ୟକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି କି ନାହିଁ ତାହା ସେମାନେ ବୁଝିବା ଦରକାର। ଅନ୍ୟଥା ଷ୍ଟେବଲ୍କଏନର ମୂଲ୍ୟଜନିତ ବିପଦ ଦେଖାଦେବ। ଶେୟାର ବଜାରରେ ଆଖଦୃଶିଆ ହ୍ରାସ ଘଟିଲେ କଏନ ପ୍ରୋଭାଇଡର୍ ବା ପ୍ରଦାତାଙ୍କ ନିକଟରେ ପର୍ଯ୍ୟାପ୍ତ କଏନ ରହି ନ ପାରେ। ଫଳରେ ସେ ପ୍ରଦାନ କରିଥିବା ମୂଲ୍ୟ ନ କମାଇଲେ ତାଙ୍କର ସବୁ କଏନକୁ ଉଚ୍ଚ ମୂଲ୍ୟଯୁକ୍ତ ଆସେଟ୍କୁ ବଦଳାଇକୁ ସକ୍ଷମ ହେବେ ନାହିଁ। ଏଣୁ ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ବା ସିକ୍ୟୁରିଟି ଜାରି ରଖିତ୍ବାକୁ ପ୍ରତିଶ୍ରୁତି ଷ୍ଟେବଲ୍କଏନ ପ୍ରଦାତାମାନେ ସେମାନଙ୍କ ଗଚ୍ଛିତ କଏନକୁ ନିୟମିତ ଏବଂ ସ୍ବତନ୍ତ୍ର ଭାବେ ସମୀକ୍ଷା କରିବା ଉଚିତ। ଏନ୍ଓ୍ବାଇଡିଏଫ୍ଏସ୍ ଭଳି ସଂସ୍ଥାଗୁଡ଼ିକ କଏନ ପ୍ରଦାତାଙ୍କୁ କାର୍ଯ୍ୟ କରିବା ଲାଗି ଲାଇସେନ୍ସ ପ୍ରଦାନ କରୁଛନ୍ତି। ହେଲେ ସେମାନେ ଏଭଳିି କାର୍ଯ୍ୟ କରୁନାହାନ୍ତି।
ଉଚ୍ଚ ମୁଦ୍ରାସ୍ପୀତି ରହିଥିବା ଲାଟିନ ଆମେରିକା ଏବଂ ଆଫ୍ରିକାରେ ଷ୍ଟେବଲ୍କଏନକୁ ଏକ୍ସଚେଞ୍ଜର ମାଧ୍ୟମ ଭାବେ ବ୍ୟବହାର କରାଯାଇପାରେ। କିନ୍ତୁ ଉତ୍ତମ ମୁଦ୍ରା ନୀତି ପ୍ରବନ୍ଧନ କରାଯାଇଥିବା ଅଧିକାଂଶ ଦେଶ ଲାଗି ଷ୍ଟେବଲ୍କଏନଗୁଡ଼ିକ ଆର୍ଥିକ ନୀତିର ପ୍ରଭାବକୁ ଦୁର୍ବଳ କରିଦେବ। ଯେଉଁଠି ଅର୍ଥବ୍ୟବସ୍ଥାରେ ସେଣ୍ଟ୍ରାଲ ବ୍ୟାଙ୍କ୍ର କମ୍ ନିୟନ୍ତ୍ରଣ ରହୁଛି ସେହି କ୍ଷେତ୍ରରେ ଏହା ଦେବାଳିଆ ସ୍ଥିତି ଉପୁଜାଇ ଆର୍ଥିକ ନୀତିକୁ ଭୁଶୁଡାଇ ଦେବ। ତେବେ ଏଭଳି ସ୍ଥିତିରେ ଉଭୟ ଷ୍ଟେବଲ୍କଏନ ଓ ବିନା ବାଧାରେ ଚାଲୁଥିବା କ୍ରିପ୍ଟୋକରେନ୍ସିଗୁଡ଼ିକୁ କଳାଟଙ୍କା ଏବଂ ଅନ୍ୟ ଅବୈଧ ଆର୍ଥିକ କାରବାର ପାଇଁ ବ୍ୟବହାର କରାଯିବା ଆଶଙ୍କା ରହି। ଏବେ ବି ଏଭଳି ବେଆଇନ କାର୍ଯ୍ୟ ଚାଲୁରହିଛି। ଏହାଦ୍ୱାରା ଦେଶର ସ୍ବାର୍ଥରେ ବାଧା ଆସୁଛି ଓ ଆଗକୁ ଆସିବ ମଧ୍ୟ। ଡିସେମ୍ବର୨୦୨୦ରେ ଏନ୍ଓ୍ବାଇଡିଏଫ୍ଏସ୍ ୟେନ ସହ ଜଡ଼ିତ ଷ୍ଟେବଲ୍କଏନ(ଜିଓ୍ବାଇଇଏନ୍)କୁ ଅନୁମୋଦନ ଦେଇଛି। ଜିଓ୍ବାଇଏନ୍କୁ ଏକ ଡିଜିଟାଲ ଫାଇନାନ୍ସିଂ ଅଭିନବତ୍ୱ, ଯାହା ରାଜ୍ୟ ଲାଗି ଅଧିକ ରେଭିନ୍ୟୁ ଓ ରୋଜଗାର ସୃଷ୍ଟି କରିିବ ବୋଲି ନ୍ୟୁୟର୍କ ଷ୍ଟେଟ୍ ବିଚାର କରୁଛି। କିନ୍ତୁ ଏହି ଷ୍ଟେବଲ୍କଏନ ଜାପାନ ଶେୟାର ବଜାରରେ ଯଦି ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୁଏ ତେବେ ଜାପାନର ପ୍ରଭୂତ କ୍ଷତି ହେବ। ଏହା ସେଠାକାର ଆର୍ଥିକ ନୀତିର ପ୍ରଭାବ ହ୍ରାସ କରିବା ସହ ରାଜସ୍ବରେ ବ୍ୟାପକ କ୍ଷତି ଘଟାଇବ।
ସେଣ୍ଟ୍ରାଲ ବ୍ୟାଙ୍କ୍ ଡିଜିଟାଲ କରେନ୍ସି ( ସିବିଡିସି) ଏହା ଠାରୁ ଯଥେଷ୍ଟ ଭଲ। ସିବିଡିସି ଉପଯୋଗରେ ନୋଟ୍ ଏବଂ କଏନ୍ର ପ୍ରସ୍ତୁତି, ବଣ୍ଟନ ଓ ପରିଚାଳନାରୁ ମୁକ୍ତି ମିଳିବ । ଫଳରେ ସରକାରଙ୍କର ବହୁ ବିଲିୟନ ଡଲାର ବଞ୍ଚିବ। ନିକଟରେ ଆମେରିକା କଏନ୍ ଓ ନୋଟ ପ୍ରସ୍ତୁତ ପ୍ରକ୍ରିୟାରେ ଏବଂ ତାହାକୁ ସଞ୍ଚାଳନ କରିବାରେ ୧ ବିଲିୟନ ଡଲାରରୁ ଅଧିକ ବ୍ୟୟ କରିଛି। ବଡ଼ କଥା ହେଉଛି,ସରକାରୀ ସ୍ତରରେ ଏକ ଡିଜିଟାଲ ଡଲାର ବ୍ୟବହାର ଆରମ୍ଭ କଲେ ବହୁ ଅର୍ଥ ସଞ୍ଚିତ ହେବ। ଏହାକୁ ଅନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକରେ ବିନିଯୋଗ କରାଯାଇପାରିବ। ୩୧.୧ ମିଲିୟନ ଆମେରିକୀୟ, ଯେଉଁମାନେ ଚିକିତ୍ସା ବୀମା ଯୋଜନା ଅନ୍ତର୍ଭୁକ୍ତ ହୋଇନାହାନ୍ତି ସେମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇହେବ କିମ୍ବା ନ୍ୟାଶ୍ନାଲ ଏଣ୍ଡାଓମେଣ୍ଟ ଫର୍ ଆର୍ଟସ୍ର ପାଣ୍ଠି ୫ଗୁଣ ବୃଦ୍ଧି କରାଯାଇପାରିବ। ସିବିଡିସି ପେମେଣ୍ଟ ବା ଦେୟ ର ଏକ ମାଧ୍ୟମ ହୋଇଥିବା ଯୋଗୁ ଏହାକୁ କ୍ରେଡିଟ୍ କାର୍ଡ ଭାବେ ବ୍ୟବହାର କରାଯାଇପାରିବ। ଏବକାର ଦେୟ ପ୍ରଦାତାଙ୍କୁ ସକ୍ରିୟ ହେବା ଲାଗି ଚାପ ପକାଇବ ଏବଂ ସେମାନଙ୍କ କାରବାର ସମ୍ପର୍କିତ ଫି’ଗୁଡ଼ିକୁ ହ୍ରାସ କରିବ। ଫଳରେ ଉପଭୋକ୍ତା ଏବଂ ବିଜ୍ନେସ୍ ସମାନ ଭାବେ ଲାଭବାନ୍ ହେବେ।
ତେବେ ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ଦ୍ୱାରା ଡିଜିଟାଲ କରେନ୍ସି ଜାରି କରାଯାଉଥିବାରୁ ସେମାନେ ଆର୍ଥିକ ନୀତିଗୁଡ଼ିକର ପ୍ରଭାବ ହ୍ରାସ ହେବା ଭଳି କାର୍ଯ୍ୟ କରିବେ ନାହିଁ। ସମସ୍ତ ଡିଜିଟାଲ ପେମେଣ୍ଟ ଓ କାରବାର ପ୍ରକ୍ରିୟାରେ ଡାଟା ଏବଂ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାର ପ୍ରଶ୍ନ ଉଠୁଥିବାବେଳେ ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକର ସିବିଡିସି ଏକ ଉତ୍ତମ ବିକଳ୍ପ ଭାବେ ଏହି ସବୁ ସମସ୍ୟାକୁ ସମାଧାନ କରିପାରିବ। ସିବିଡିସି ଆର୍ଥିକ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରୁଥିବାବେଳେ କୌଣସି ବ୍ୟବସ୍ଥା ଅଧୀନରେ ରହୁ ନ ଥିବା କ୍ରିପ୍ଟୋକରେନ୍ସିଗୁଡ଼ିକର ଭବିଷ୍ୟତ ଭଲ ନୁହେଁ। ଏହା ଆର୍ଥିକ ଅସ୍ଥିରତା ସୃଷ୍ଟି କରିବ। ଷ୍ଟେବଲକଏନ୍ଗୁଡ଼ିର ପରିଣାମ ମଧ୍ୟ ଏତେ ଭଲ ନୁହେଁ। ଏହିସବୁ କାରଣ ଲାଗି ଆଗାମୀ କିଛି ବର୍ଷ ମଧ୍ୟରେ ଅନେକ ଦେଶ ଏକ୍ସଚେଞ୍ଜର ମାଧ୍ୟମ ଭାବେ ବ୍ୟବହୃତ କଟକଣାମୁକ୍ତ କ୍ରିପ୍ଟୋକରେନ୍ସିଗୁଡ଼ିକ ବନ୍ଦ କରି ସରକାରୀ ସ୍ତରରେ ଏକ ବୈଧ ଡିଜିଟାଲ କରେନ୍ସି ଆରମ୍ଭ କରିବେ। ଏହା ସହ ସବୁ ଷ୍ଟେବଲ୍କଏନ ଉପରେ କଡ଼ା ନିୟମ ମଧ୍ୟ ଲାଗୁ କରାଯିବ।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ଏସିଆନ ଡେଭଲପ୍ମେଣ୍ଟ ବ୍ୟାଙ୍କ୍