ଡିଜିଟାଲ ଡିସ୍‌ପେନସାରୀ କର୍ମଚାରୀଙ୍କୁ ଛଟେଇ, ପୁନଃ ନିଯୁକ୍ତି ଦାବି

କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚାଲିଥିବା ଡିଜିଟାଲ ଡିସ୍‌ପେନସାରୀରେ କାମ କରୁଥିବା କର୍ମଚାରୀ ଏଏନ୍‌ଏମ ଏବଂ ଏଲ୍‌ଟିମାନଙ୍କୁ କାମରୁ ଛଟେଇ କରି ଦିଆଯାଇଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇ ନ୍ୟାୟ ଦାବି କରିଛନ୍ତି। ଉକ୍ତ ଡିସ୍‌ପେନସାରୀରେ କାମ କରୁଥିବା ଫାର୍ମାସିଷ୍ଟମାନଙ୍କୁ ପୁନଃ ନିଯୁକ୍ତି କରାଯାଇଥିବା ବେଳେ ୩୭ଜଣ ଏଏନ୍‌ଏମ ଏବଂ ୬ ଜଣ ଏଲ୍‌ଟିଙ୍କୁ ଛଟେଇ କରି ଦିଆଯାଇଥିବା ଜଣାପଡ଼ିଛି। ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ୱ ସ୍ବଳ୍ପ ଦରମାରେ କାମ କରି ପରିବାର ଚଳାଉଥିବା ଏହି କର୍ମଚାରୀମାନେ ଛଟେଇ ହେବା ଫଳରେ ବହୁ ଅସୁବିଧାରେ ଚଳୁଛନ୍ତି।

ପ୍ରକାଶ ଯେ, କେନ୍ଦୁଝର ଜିଲାରେ ୧୫ଟା ଡିଜିଟାଲ ଡିସ୍‌ପେନସାରୀ ଚାଲୁଛି। ପ୍ରତ୍ୟେକ ଡିସ୍‌ପେନ୍‌ସାରୀରେ ଜଣେ ଫାର୍ମାସିଷ୍ଟ, ଜଣେ ଏଏନ୍‌ଏମ ଏବଂ ଜଣେ ଏଲ୍‌ଟି ଡିଏମ୍‌ଏଫ୍‌ ପକ୍ଷରୁ ନିଯୁକ୍ତି ପାଇଥିଲେ। ଏହି ଡିସ୍‌ପେନ୍‌ସାରୀ ଚାଲୁ ହେବା ଦିନଠାରୁ କାମ କରି ମୂଳଦୁଆ ସୁଦୃଢ କରି ଆସିଥିବା ବେଳେ ତେବେ ଏହି ଡିଜିଟାଲ ଡିସ୍‌ପେନ୍‌ସାରୀର ଦାୟିତ୍ୱ ଏବେ ଆଉ ଗୋଟିଏ ସଂସ୍ଥା ପାଇବା ପରେ ମୂଳରୁ କାମ କରି ଆସୁଥିବା କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି। ଅଭିଜ୍ଞତା ଥିବା ଏହି କର୍ମଚାରୀଙ୍କୁ ବାହାର କରି ଜିଲା ଏବଂ ରାଜ୍ୟ ବାହାରୁ କର୍ମଚାରୀ ନିଯୁକ୍ତି କରିବା ନେଇ ଦାୟିତ୍ୱ ନେଇଥିବା ସଂସ୍ଥା ଉଦ୍ୟମ ଚଳାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଏହାର ସୁବିଚାର କରି ସେମାନଙ୍କୁ ପୁନଃ ନିଯୁକ୍ତି କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ଜାଣିଶୁଣି ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରି ନିଯୁକ୍ତି ନାମରେ ଆର୍ଥିକ ଫାଇଦା ପାଇଁ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି। ଏଣୁ ଅଭିଜ୍ଞ କର୍ମଚାରୀଙ୍କୁ ଛଟେଇ କରିବା ପଛରେ କଣ ରହସ୍ୟ ରହିଛି ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି।

Share