ଡିଜିଟାଲ ଠକେଇ

ଜୁଲାଇ ୨୦୧୫ରେ ଆରମ୍ଭ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଯୋଜନାକୁ ୮ ବର୍ଷ ପୂରିଗଲାଣି। ଇତିମଧ୍ୟରେ ଦେଶ ଡିଜିଟାଲ କ୍ଷେତ୍ରରେ କେତେ ସକ୍ଷମ ହୋଇଛି ତାହାର ଠିକ୍‌ ତଥ୍ୟ ଜାଣିବା କଷ୍ଟକର। କିନ୍ତୁ ପ୍ରତ୍ୟେକ କମ୍ପ୍ୟୁଟର ମାଧ୍ୟମରେ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟବହାର କରୁଥିବା ନାଗରିକ ସବୁଦିନ ଡିଜିଟାଲ ଅକ୍ଷମତା ସମ୍ପର୍କରେ ବିରକ୍ତି ପ୍ରକାଶ କରୁଥିବା ଦେଖାଯାଏ। ଏଥିସହ ତାଳ ମିଳାଇ ସାଇବର ଅପରାଧ ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମସ୍ତେ ଜାଣନ୍ତି। ନ୍ୟାଶନାଲ ସାଇବର ସିକ୍ୟୁରିଟି କୋଅର୍ଡିନେଟର ଏମ୍‌.ୟୁ. ନାୟାରଙ୍କ ଅନୁଯାୟୀ ଭାରତରେ ସାଇବର ଅପରାଧ ବୃଦ୍ଧିପାଇ ବୈଶ୍ୱିକ ହାରାହାରି ତୁଳନାରେ ପାଖାପାଖି ୨ଗୁଣ ହୋଇଛି। କେବଳ ଏତିକି ନୁହେଁ, ସାଇବର ଆକ୍ରମଣ ଜନିତ ଦେୟ ମଧ୍ୟ ୧୦ ମାସ ମଧ୍ୟରେ ହାରାହାରି ୧.୫୪ ବିଲିୟନ ଡଲାରରେ ପହଞ୍ଚିଛି; ଯାହା ୨୦୨୨ ତୁଳନାରେ ଦୁଇଗୁଣ। ଏହାସହ ଗତ ୬ ମାସ ମଧ୍ୟରେ ସାଇବର ଅପରାଧ ଭାରତରେ ହାରାହାରି ୨୧୨୭ଥର ଘଟିଥିବାବେଳେ ବିଶ୍ୱରେ ଏହା ୧୧୦୮ ଥର ଘଟିଛି ବୋଲି ନାୟାର ପ୍ରକାଶ କରିଛନ୍ତି। ଏହା ସ୍ପଷ୍ଟ ଯେ, ଡିଜିଟାଇଜେଶନ ସହ ନିୟମିତ ଭାବେ ସାଇବର ଅପରାଧ ବୃଦ୍ଧିପାଇବା ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରତି ବିପଦ ସୃଷ୍ଟିକରୁଛି। ଏହି ସାଇବର ଅପରାଧର ମୂଳଲକ୍ଷ୍ୟ ହେଉଛି ଅର୍ଥ ଆଦାୟ। ଅକ୍ଟୋବର ମାସରେ ଅର୍ଥ ଆଦାୟ ପାଇଁ ଅକିରା ନାମକ ଇଣ୍ଟରନେଟ ରାନ୍‌ସମଓ୍ବେର ଭାଇରସ ସମ୍ପର୍କରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି) ସତର୍କ କରିଥିଲା। ଏହି ଭାଇରସକୁ ହ୍ୟାକରମାନେ ପ୍ରୟୋଗ କରି ତଥ୍ୟ ଚୋରି କରିବା ପରେ ବ୍ୟବହାରକାରୀମାନଙ୍କୁ ବ୍ଲାକ୍‌ମେଲ କରୁଥିବା ଜଣାପଡ଼ିଛି। ଏ ଦୃଷ୍ଟିରୁ ବିଚାର କଲେ ଭାରତରେ ଡିଜିଟାଇଜେଶନ ଦ୍ୱାରା ବ୍ୟବସାୟରେ ପ୍ରଯୁକ୍ତି ନିର୍ଭରଶୀଳତା ବୃଦ୍ଧିପାଉଥିବାରୁ ତାହା ସାଇବର ଆକ୍ରମଣର ଶିକାର ହେବାର ଅଧିକ ସମ୍ଭାବନା ସୃଷ୍ଟି ହୋଇଛି। ଚିନ୍ତାର ବିଷୟ, ଆଇଟି ଆଣ୍ଡ୍‌ ସାଇବର ସିକ୍ୟୁରିଟି କମ୍ପାନୀ କ୍ଲାଉଡ୍‌ଫ୍ଲେୟାର ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଭାରତୀୟ ସଂସ୍ଥାଗୁଡ଼ିକ ଗତବର୍ଷ ଅତିକମ୍‌ରେ ଗୋଟିଏ ସାଇବର ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଏହାଦ୍ୱାରା ସେଗୁଡ଼ିକ ଅନେକ ମିଲିୟନ ଡଲାର କ୍ଷତି ସହିଛନ୍ତି।
ଭାରତରେ ଡିଜିଟାଇଜେଶନକୁ ଲକ୍ଷ୍ୟ କରି ସବୁ କ୍ଷେତ୍ରରେ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଯୋଡ଼ିବା ବାଧ୍ୟତାମୂଳକ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମୀଣ ଭାରତରେ ୭୦ ପ୍ରତିଶତରୁ ଅଧିକ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକ ରହୁଛନ୍ତି। ସାଇବର ଅପରାଧରେ ଏମାନେ ଠକେଇର ଶିକାର ହେବା ସୁଯୋଗ ଅଧିକ ରହୁଛି। କାରଣ ଭାରତୀୟ ନାଗରିକମାନେ ଆଧାରରେ କେତେ ତଥ୍ୟ ରହୁଛି ନ ଜାଣି ତାହାକୁ ଅନ୍ୟ ହାତକୁ ବଢ଼ାଇ ଦେଉଛନ୍ତି। ଏପରି କି ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଦ୍ୱାରା ଜାରି କରାଯାଇଥିବା ଆଧାରକୁ ଖୋଲାଖୋଲି ସମସ୍ତଙ୍କୁ ନ ଦେବା ପାଇଁ ବିଧିବଦ୍ଧ ଭାବେ ସରକାରୀ ଘୋଷଣା କରାଗଲାଣି। ଏବେ କହୁଛନ୍ତି କେବଳ ‘ମାସ୍କଡ୍‌ ଆଧାର’ ବ୍ୟବହାର କରିବା ହେଉଛି ବୁଦ୍ଧିମାନର କାମ। ଏହାବ୍ୟତୀତ ଦେଶରେ ବ୍ୟାଙ୍କଗୁଡ଼ିକର ବ୍ୟବସ୍ଥା ପ୍ରାୟତଃ ଦୁର୍ବଳ । ଏଣୁ ଏହା ମାଧ୍ୟମରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ସହଜ ହୋଇଯିବ। ଦେଶରେ ଯେତିକି ଅଧିକ ଡିଜିଟାଇଜେଶନ ପାଇଁ ବାଧ୍ୟ କରାଯିବ ସେତିକି ବେଶି ଠକେଇ ହେବାର ଆଶଙ୍କା ଦେଖାଦେବ। ନିକଟରେ ପ୍ରକାଶିତ ଏକ ଖବର ଅତ୍ୟନ୍ତ ଚିନ୍ତାଜନକ। ଇଣ୍ଟରନେଟରେ ଡାର୍କ ଓ୍ବେବ୍‌ରେ ପିଡବ୍ଲ୍ୟୁଏନ୍‌ ୦୦୦୧ ଛଦ୍ମ ନାମରେ ପରିଚିତ ସଂସ୍ଥା ଘୋଷଣା କରିଥିଲା ଯେ, ତାହା ପାଖରେ ୮୧ କୋଟିରୁ ଅଧିକ ଭାରତୀୟଙ୍କ ଆଧାର ଏବଂ ପାସପୋର୍ଟ ତଥ୍ୟ ମହଜୁଦ ଥିଲା। ଏହିସବୁ ତଥ୍ୟ ବିକିବା ପାଇଁ ମାତ୍ର ୮୦,୦୦୦ ଆମେରିକୀୟ ଡଲାର ମୂଲ୍ୟ ପିଡବ୍ଲ୍ୟୁଏନ୍‌ ୦୦୦୧ ଘୋଷଣା କରିଥିଲା। ଏଥିରୁ ପ୍ରତୀୟମାନ ହେଉଛି ଯେ, କେନ୍ଦ୍ର ସରକାର ନିଜ ନାଗରିକଙ୍କ ଆଧାର ତଥ୍ୟ ସୁରକ୍ଷିତ ରଖିବାରେ ବିଫଳ । ଅନ୍ୟପକ୍ଷରେ ବିଭିନ୍ନ କମ୍ପାନୀ ଓ ସରକାରୀ ସଂସ୍ଥାଗୁଡ଼ିକରେ ପ୍ରଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ବ୍ୟବସାୟ ଲାଗି ଅପରିହାର୍ଯ୍ୟ ସାଇବର ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଉନାହିଁ। ଅଧିକାଂଶ ବିଜ୍‌ନେସ୍‌ ପଦାଧିକାରୀମାନଙ୍କର ଏ ସମ୍ପର୍କରେ ଜ୍ଞାନର ଅଭାବ ରହୁଛି ଏବଂ ଅନେକ କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀଗୁଡ଼ିକରେ ପାଣ୍ଠିର ଅଭାବ ଯୋଗୁ ସେମାନେ ସାଇବର ଆକ୍ରମଣର ପ୍ରତିରୋଧ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହାବ୍ୟତୀତ ଭାରତରେ ପୋଲିସ ସାଇବର ସିକ୍ୟୁରିଟି ବିଭାଗର ଅଧିକାଂଶ ଅଧିକାରୀ ଏହି ବିଷୟରେ କୌଣସି ଜ୍ଞାନକୌଶଳ ଜାଣିନାହାନ୍ତି। ଏବେ ଭାରତରେ ଡିଜିଟାଇଜେଶନ ଯେଉଁ ସ୍ତରରେ ରହିଛି ତାହା ବ୍ୟାପକ ହେଲେ ଠକେଇ ଅନେକଗୁଣ ବଢ଼ିଯିବ। ଏଣୁ ଏକ ଡିଜିଟାଇଜେଶନ ସମାଜ ଗଢ଼ିବା ପୂର୍ବରୁ ସାଇବର ଅପରାଧକୁ ରୋକିବା ଲାଗି ଟେକ୍‌ନୋଲୋଜିରେ ଆଗୁଆ ଦେଶଗୁଡ଼ିକ ସହ ମିଳିତ ଭାବେ ଏକ ଦୃଢ଼ ପ୍ରତିରୋଧୀ ବ୍ୟବସ୍ଥା କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri