Categories: ଜାତୀୟ

ଡିଜିଟାଲ ଇଣ୍ଡିଆ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ମୋଦି

ନୂଆଦିଲ୍ଲୀ,୧୯।୧୧: ଦେଶର ବିକାଶରେ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଇଣ୍ଡିଆ ଏବେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁ ପ୍ରାଦ୍ୟୋଗିକ ଶିଖର ସମ୍ମଳିନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ଗୁରୁବାର ଏଭଳି କହିଛନ୍ତି। ଭାରତ ସରକାରଙ୍କ ଶାସନରେ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଭୂମିକା ବେଶ୍‌ ପ୍ରଭାବଶାଳୀ ରହିଥିବା ମୋଦି କହିଛନ୍ତି। ଏହି ଜ୍ଞାନକୌଶଳ ଯୋଗୁ ଦେଶର ଚାଷୀଙ୍କ ଖାତକୁ ଗୋଟିଏ କ୍ଲିକ୍‌ରେ ଆର୍ଥିକ ସହାୟତା ପହଞ୍ଚିପାରିଛି। ସେହିପରି କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ଗରିବଙ୍କୁ ଆବଶ୍ୟକ ସହାୟତା ଠିକ ସମୟରେ ଯୋଗାଇ ଦିଆଯାଇଛି। ପ୍ରାଦ୍ୟୋଗିକ ଜ୍ଞାନକୌଶଳ କୋଟି କୋଟି ଭାରତୀୟଙ୍କ ଜୀବନରେ ଏକ ନୂଆ ପରିବର୍ତ୍ତନ ଆଣିପାରିଛି। ଗତ ୨୫ ବର୍ଷ ତଳେ ଇଣ୍ଟରନେଟ୍‌ ଭାରତକୁ ଆସିଥିଲା। ଏବେ ଦେଶର ୭୫୦ ନିୟୁତରୁ ଅଧିକ ଲୋକଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ରହିଛି। ଧୀରେଧୀରେ ଭାରତ ପ୍ରାଦ୍ୟୋଗିକ ଜ୍ଞାନକୌଶଳର ଶୀର୍ଷରେ ପହଞ୍ଚିବାର ପ୍ରୟାସ ଜାରି ରଖିଥିବା ମୋଦି କହିଛନ୍ତି।

Share