Categories: ଜାତୀୟ

ଗୋଆରେ ଡିଜିଟାଲ୍‌ ସେକ୍ସ ର଼୍ୟାକେଟ

ପଣଜୀ,୧୦।୯: ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ଗୋଆରେ ଆନ୍ତଃଦେଶୀୟ ସେକ୍ସ ର଼୍ୟାକେଟ ଚାଲୁଛି। ର଼୍ୟାକେଟ ଗୋଆରେ ଚାଲୁଛି, ହେଲେ କେନିୟାରୁ ଏହାକୁ ପରିଚାଳନା କରାଯାଉଥିବା ପୋଲିସ ଜାଣିବାକୁ ପାଇଛି। ଅର୍ଥ ପଠାଇବା ଲାଗି ଯୌନକର୍ମୀମାନେ ଗ୍ରାହକଙ୍କୁ କ୍ୟୁଆର୍‌ କୋଡ୍‌ ଶେୟାର କରୁଛନ୍ତି। ଗ୍ରାହକ ଅର୍ଥ ପଠାଇବା ପରେ ତାହା ସମ୍ପୂର୍ଣ୍ଣ ଭାବେ ଦଲାଲଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି। ପ୍ରାଥମିକ ସ୍ତରରେ କ୍ୟୁଆର୍‌ କୋଡ୍‌ କିମ୍ବା ୟୁପିଆଇ ଯୋଗେ କାରବାର କରାଯାଉଛି। ଫଳରେ ଡିଲ୍‌ ଫାଇନାଲ୍‌ ହେବା ପରେ ଗ୍ରାହକ ଆଉ ଠକେଇ କରିବାର କୌଣସି ସମ୍ଭାବନା ରହୁନି। ସେକ୍ସ ର଼୍ୟାକେଟ ଚଲାଇବା ଅଭିଯୋଗରେ ପୋଲିସ ୨ କେନୀୟ ଯୁବତୀଙ୍କୁ ଗିରଫ କରିଛି। ଅନ୍ୟ ୫ ଜଣ କେନିୟା ମହିଳାଙ୍କୁ ଏନ୍‌ଜିଓ ସହାୟତାରେ ଉଦ୍ଧାର କରାଯାଇଛି। ତୃତୀୟ ଅଭିଯୁକ୍ତ କୁହାଯାଉଥିବା ନାଇଜେରିଆନ ମହିଳାଙ୍କୁ ପୋଲିସ ଖୋଜୁଛି। କେନିୟାରେ ଥିବା କେତେଜଣ ଦଲାଲ ଯୁବତୀମାନଙ୍କୁ ଭାରତରେ ଉଚ୍ଚ ଦରମାରେ ଚାକିରି କରାଇବାର ପ୍ରଲୋଭନ ଦେଖାଇଥାନ୍ତି। ଭିଜା ତଥା ଅନ୍ୟାନ୍ୟ କାଜଗପତ୍ର କାମ ସରିବା ପରେ ସେମାନେ ଯୁବତୀଙ୍କ ଲାଗି ଟିକେଟ କିଣି ଦେଇଥାନ୍ତି। ଯୁବତୀମାନେ ଗୋଆରେ ପହଞ୍ଚତ୍ବା ମାତ୍ରେ ଚାକିରି ଯୋଗାଇବା ବାହାନାରେ ସେମାନଙ୍କ ପାସପୋର୍ଟକୁ ଦଲାଲମାନେ ନେଇଯାଇଥାନ୍ତି। ପାସପୋର୍ଟ ଦେବାକୁ ମନାକଲେ ସେମାନଙ୍କୁ ଧମକ ଦିଆଯିବା ସହ ୫ରୁ ୮ ଲକ୍ଷ ଟଙ୍କା ମଗାଯାଉଛି। ପୀଡ଼ିତାମାନେ ଗଣିକାବୃତ୍ତି କରି ୫ ଲକ୍ଷ ଟଙ୍କା ନ ଦେବା ଯାଏ ସେମାନେ ଦଲାଲଙ୍କ କବଳରୁ ମୁକ୍ତ ହୋଇପାରି ନ ଥାନ୍ତି। ଦଲାଲମାନେ ‘ମସାଜ୍‌ ରିପବ୍ଲିକ୍‌’ ନାମକ ଏକ ଓ୍ବେବସାଇଟ୍‌ ଜରିଆରେ ଗ୍ରାହକ ଯୋଗାଡ଼ କରୁଛନ୍ତି। ଗ୍ରାହକ ଓ ଦଲାଲଙ୍କ ମଧ୍ୟରେ ସମସ୍ତ ଡିଲ୍‌ ସରିବା ପରେ ପେମେଣ୍ଟ ଲାଗି କ୍ୟୁଆର କୋଡ୍‌ ଶେୟାର କରାଯାଉଛି। ଏହାପରେ ଗ୍ରାହକଙ୍କୁ ଯୁବତୀଙ୍କ ଠିକଣା ପଠାଯାଉଛି। ଗୋଆରୁ ଜଣେ ମହିଳାଙ୍କୁ ବେଙ୍ଗାଲୁରୁ ନିଆଯାଉଥିବାବେଳେ ଏନ୍‌ଜିଓର ଜଣେ ସଦସ୍ୟଙ୍କ ସହ ତାଙ୍କର ଦେଖା ହୋଇଥିଲା। ଏନ୍‌ଜିଓଠାରୁ ସୂଚନା ପାଇ ପୋଲିସ ଚଢ଼ଉ କରିଥିଲା।

Share