ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି। ମନରେ ସଂକ୍ରମଣର ଭୟ ରହିଥିବାରୁ ଲୋକମାନେ ଘରୁ କମ୍ ବାହାରିବା ସହ ସିଧାସଳଖ ଆଗ ଭଳି କୌଣସି କାରବାର କରୁନାହାନ୍ତି। ଫଳରେ ଲୋକମାନେ ଅଧିକାଂଶ କାର୍ଯ୍ୟ ଡିଜିଟାଲରେ କରୁଥିବାରୁ ସେସବୁ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ ଡିଜିଟାଲ ପେମେଣ୍ଟ ଜରିଆରେ କରୁଛନ୍ତି। ଏହାଦ୍ୱାରା ନିଜକୁ ଅଧିକ ସୁରକ୍ଷିତ ମନେକରୁଛନ୍ତି। ଏ ସମ୍ପର୍କରେ ନିକଟରେ ଏନ୍ପିସିଆଇ (ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ବିଭିନ୍ନ ଡିଜିଟାଲ ପେମେଣ୍ଟ ଆପ୍ ଜରିଆରେ ଦେଶରେ ୟୁପିଆଇ ପେମେଣ୍ଟର ପରିମାଣ ବଢ଼ିଚାଲିଛି ବୋଲି କୁହାଯାଇଛି। ଏନ୍ପିସିଆଇ ତଥ୍ୟ ଅନୁସାରେ ଜୁନ୍ରେ ଦେଶର ୟୁପିଆଇ କାରବାର ୨.୮ବିଲିୟନ ଯଥା ୫,୪୭,୩୭୩ କୋଟି ଟଙ୍କାର ହୋଇଛି। ଏହା ଗତ ୩ ମାସର କାରବାରଠାରୁ ପ୍ରାୟ ୧୧% ଅଧିକ ବୋଲି ଜଣାପଡିଛି। ସେହିଭଳି ମେ’ରେ ୨.୫୩ ବିଲିୟନ ଏବଂ ମାର୍ଚ୍ଚରେ ୨.୭୩ ବିଲିୟନ ଡଲାର କାରବାର ହୋଇଥିବା ଜଣାପଡ଼ିଛି। ଏନ୍ପିସିଆଇ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କ ସଂଘ ପକ୍ଷରୁ ମିଳିତ ଭାବେ ପରିଚାଳିତ ଏକ ରିଟେଲ ପେମେଣ୍ଟ ଓ ସେଟଲମେଣ୍ଟ କରୁଥିବା ଏକ ସଂସ୍ଥା। ଏନ୍ପିସିଆଇ ଦ୍ବାରା ପରିଚାଳିତ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ମାଧ୍ୟମରେ ଗୋଟିଏ ମୋବାଇଲ ଆପ୍ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଖାତା ମଧ୍ୟରେ ଅର୍ଥ ନେଣଦେଣ ସମ୍ଭବ ହୋଇଥାଏ।