ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ସୋମବାର ବ୍ଲକ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ଗ୍ରାମାଞ୍ଚଳର ବିକାଶକୁ ସୁଦୃଢ କରିବା ଲକ୍ଷ୍ୟରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜିତ ସ୍ବତନ୍ତ୍ର ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଯମୁନା ନାୟକ ଅଧ୍ୟକ୍ଷତା କରିଥିଲେ। ବିଡ଼ିଓ ଡା.ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ବ୍ରହ୍ମପୁର ଏମ୍ପି ଡ.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ବ୍ଲକ୍ ପ୍ରଶାସନ ମିଳିତ ଭାବେ କାମକଲେ ଗ୍ରାମାଞ୍ଚଳର ବହୁବିଧ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର, ବ୍ଲକ୍ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ରାଜୀବ ପ୍ରଧାନ, ଜିପିଓ ଉମେଶ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ। କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀ ନିର୍ବାଚନର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସରପଞ୍ଚଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ବମକୋଇ ସରପଞ୍ଚ ତପନ ପ୍ରଧାନ ପ୍ରତ୍ୟେକ ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିଲେ। ସହଦେବ ଟିକରପଡା ପଞ୍ଚାୟତ ସମିତି ସଭ୍ୟ ଶୈଳ ବେହେରା ପଞ୍ଚାୟତରେ ସମିତି ସଭ୍ୟଙ୍କ କଥାକୁ ଗୁରୁତ୍ୱ ଦିଆଯାଉନାହିଁ ଏବଂ ଏମଜିଏନ୍ଆରଜିଏସ୍ କାର୍ଯ୍ୟରେ ମହିଳା ଶ୍ରମିକ ମାନଙ୍କୁ କିଛି ବ୍ୟକ୍ତି ଦୁର୍ବ୍ୟବହାର କରୁଥିବା ଉଲ୍ଲେଖ କରିଥିଲେ। ଚଷାନିମଖଣ୍ଡି ସରପଞ୍ଚ ମିନତୀ କୁମାରୀ ଜାନୀ ଚାଷୀଙ୍କ ଜମିକୁ ଜଳସେଚନ ନିମନ୍ତେ ଦୀର୍ଘବର୍ଷ ଧରି ରାମନଦୀରେ ଆନିକଟ ନିର୍ମାଣ କାର୍ଯ୍ୟ ନିର୍ମାଣରେ ବିଳମ୍ବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ବୈଠକରେ ବ୍ଲକ ଅଧିନ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ, ଜିଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ, ରାଧାକାନ୍ତ ମହାଙ୍କୁଡ, ଏମ୍ . ଅନୁସୂୟା ରେଡ୍ଡୀ, ସଂଯୁକ୍ତା କବିଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।