Categories: ଜାତୀୟ

ଅଧ୍ୟକ୍ଷ ଦୌଡରେ ଦିଗ୍‌ବିଜୟ ସାମିଲ

ନୂଆଦିଲ୍ଲୀ,୨୮।୯:କଂଗ୍ରେସ ସଭାପତି ପଦ ଦୌଡ଼ରେ ଲଗାତର ନୂଆ ନାମ ଯୋଡାଯାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛି। ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ। ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସାମିଲ ଥିବା ଦିଗବିଜୟ ଗୁରୁବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ଫେରିବେ ଏବଂ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ଏଭଳି ପରିସ୍ଥିତିରେ ଦିଗବିଜୟଙ୍କ ସହ ଗାନ୍ଧୀ ପରିବାରର ସମର୍ଥନ ଅଛି କି ବୋଲି ପ୍ରଶ୍ନ ଉଠିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, ସେପ୍ଟେମ୍ବର ୩୦ରେ ଦିନ ୧୨.୩୦ରେ ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଶଶି ଥରୁର ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଗାନ୍ଧୀ ପରିବାରର ସମର୍ଥନରେ ଅଶୋକ ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢି ଜିତିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଗେହଲଟ କ୍ୟାମ୍ପ୍‌ର ୮୨ ଜଣ ବିଧାୟକ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ବିରୋଧରେ ଇସ୍ତଫା ଦେଇଥିଲେ। ସେବେଠାରୁ ସବୁ ଓଲଟପାଲଟ ହୋଇଥିଲା। ଏହି କାର୍ଯ୍ୟକୁ ଗାନ୍ଧୀ ପରିବାର ପସନ୍ଦ କରିନାହିଁ। ଗେହଲଟଙ୍କଠାରୁ ଏପରି ଆଶା କରାଯାଉ ନ ଥିଲା ବୋଲି ଖୋଦ ସୋନିଆ ଗାନ୍ଧୀ କହିଛନ୍ତି।
ଅଶୋକ ଗେହଲଟ ଆଜି ସା ସୁଦ୍ଧା ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଏହା ପରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଏବଂ ଅଧ୍ୟକ୍ଷ ପଦକୁ ଏକ ବଡ଼ ଘୋଷଣା କରାଯାଇପାରେ।

Share