ନୂଆଦିଲ୍ଲୀ,୩୦।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ଲାଗିରହିଛି। ଶୁକ୍ରବାର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି ଦଳର ବରିଷ୍ଠ ନେତା ଦିଗ୍ବିଜୟ ସିଂ। ସେ କହିଛନ୍ତି, ସେ ନିର୍ବାଚନ ଲଢିବେନି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପ୍ରସ୍ତାବକ ରହିବେ।
ଦିଗବିଜୟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ସେ ନାମାଙ୍କନ ଫର୍ମ ମଧ୍ୟ ନେଇଥିଲେ। କିନ୍ତୁ ଆଜି ସେ ଲଢିବାକୁ ମନା କରିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଥିଲା ଏବଂ ସେପ୍ଟେମ୍ବର ୩୦ ଅର୍ଥାତ୍ ଆଜି ଦାଖଲର ଶେଷ ଦିନ ଅଟେ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୮। ଜଣେରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର ୧୭ରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।