ପଟ୍ଟାମୁଣ୍ଡାଇ,୩୦।୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ୨୩ ବର୍ଷ ା ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନ ା ସମୁଦ୍ରର ବିଶାଳ ଢ଼େଉ ,୩୦୦ କିମି ବେଗରେ ବହୁ ଥିବା ପବନରେ ଲୋଟି ଯାଉଥିଲା ବହୁ ମହାଦ୍ରୁମ ା ଏଥିରେ କେନ୍ଦ୍ରାପଡା ଜିଲାର ଅଧିକାଂଶ ବ୍ଲକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା। ରାଜ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୩୮୭ ଜଣଙ୍କ ଜୀବନ ଯାଇଥିଲା। ୧୮୦୩ ଜଣ ଆହତ ହୋଇଥିଲେ । ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଜିଲାରେ୨,୯୭ ,୮୧୪ ଟି ଘର ଭାଙ୍ଗିଥିବା ଜିଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳୁଛି ।
ଏହାପରେ ରାଜ୍ୟ ସରକାର ଗଠନ କରିଥିଲେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) । ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିର୍ମାଣ କଲେ ବାତ୍ୟା ଆଶ୍ରୟସ୍ଥଳୀ । ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଏବେ ପ୍ରଶ୍ନବାଚୀ ସୃୃଷ୍ଟି ହୋଇଛି। ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି ସତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ନ ଥିବା ଅଭିଯୋଗ ହୋଇଛି । ସେଠାରେ ଓସ୍ଡମା ପକ୍ଷରୁ ବାତ୍ୟା ତଥା ବନ୍ୟା ସମୟରେ ବିପନ୍ନମାନଙ୍କୁ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଓ ବିଭିନ୍ନ ସରଞ୍ଜାମ ରଖାଯାଇଥିଲା। ପଟ୍ଟାମୁଣ୍ଡାଇ, ବ୍ଳକର ୧୩ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଉକ୍ତ କେନ୍ଦ୍ରରେ ୨ଟି ଲେଖାଏ ଆସ୍କା ଲାଇଟ, ୨ଟି ଚେନସ(କଟର), ଡ଼ିଜି ସେଟ, ସାଇରନ, କ୍ୟାଟରିଂ ସେଟ(୧୫୦୦-୨୦୦୦ ଲୋକଙ୍କ ପାଇଁ), ଲାଇଫ ଜାକେଟ ଆଦି ଲକ୍ଷାଧିକ ଟଙ୍କା ବ୍ୟୟରେ ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳୀ ଓ ଉପରୋକ୍ତ ସରଞ୍ଜାମ ରକ୍ଷଣାବେକ୍ଷଣ ପାଇଁ ବାତ୍ୟାଆଶ୍ରୟ ରକ୍ଷଣାବେକ୍ଷଣ କମିଟି ଗଠନ କରାଯାଇଥିଲା। ପ୍ରତି କେନ୍ଦ୍ର ଅଧୀନରେ ସ୍ବେଚ୍ଛାସେବୀମାନେ ତାଲିମପ୍ରାପ୍ତ ହୋଇ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ଏବେ ଏସବୁ ପ୍ରାୟତଃ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଅନେକ କେନ୍ଦ୍ରରେ ଏହାକୁ ବିକ୍ରି କରିଦିଆଯାଇଛି ା ଅନ୍ୟଥା କେଉଁଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ବି ଆଉ ନାହାନ୍ତି ା କେବଳ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ କମିଟି ନାମକୁ ମାତ୍ର ରହିଛି। ଏହାର ସମ୍ପାଦକମାନଙ୍କ ହେପାଜତରେ ଉପରୋକ୍ତ ସରଞ୍ଜାମ ରଖାଯାଇଛି। କେତେକ ବାତ୍ୟା ଆଶ୍ରୟସ୍ଥଳୀରେ ସମ୍ପାଦକମାନେ ୨୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଛନ୍ତି। ରାଜନୈତିକ ଚାପ ଫଳରେ ସେମାନଙ୍କୁ ବଦଳା ଯାଇ ପାରୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି।
କେନ୍ଦ୍ରାପଡ଼ା ଜିଲାରେ ବିପର୍ଯ୍ୟୟର ସୁପରିଚାଳନା ପାଇଁ ଆବଶ୍ୟକ ସୁଦୃଢ ଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ା ଜଳବାୟୁର ଦ୍ରୁତ ପରିବର୍ତ୍ତନ କାରଣରୁ ଜିଲାପ୍ରତି ଭୟାବହ ସାମୁଦ୍ରିକ ଝଡ଼ ଓ ସୁନାମୀ ଆଶଙ୍କା ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବାରେ ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲର ବ୍ୟାପକତା ଜରୁରୀ ଥିଲେ ମଧ୍ୟ ଏ କ୍ଷେତ୍ରରେ କୌଣସି ଉପଲବ୍ଧି ମିଳିପାରିନାହିଁ । ବରଂ ହେନ୍ତାଳ ଜଙ୍ଗଲ ଅବକ୍ଷୟମୁଖି ହେଉଛି । ଜିଲାର ୭୪୪କିମି ତଟବନ୍ଧ ମଧ୍ୟରୁ ମାତ୍ର ୩୨ କିମିକୁ ୬ ମିଟର ଉଚ୍ଚା କରିବା ସହିତ ସୁଦୃଢ କରିବା ପାଇଁ ସରକାର ଚଳିତ ବର୍ଷ ୨୦୫କୋଟି ୬୨ଲକ୍ଷ ୪୯ହଜାର ଟଙ୍କା ମଞ୍ଜୁର କରିଛନ୍ତି ା ଅବଶିଷ୍ଟ ତଟବନ୍ଧ ଆଡ଼ୁ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତ ପ୍ରକାଶ ପାଇଛି ା ବାତ୍ୟା ଓ ସୁନାମୀର ସତର୍କ ସୂଚନା ଦେବାକୁ ତଟାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ଡ଼ପଲର ଆଲାର୍ଟ ମଧ୍ୟରୁ ୯ଟି ବହୁ ବର୍ଷ ହେଲା ଅଚଳ ହୋଇପଡ଼ିଛି ା ବିଗତ ବାତ୍ୟା କାଳରେ ସେଥିରୁ ସାଇରନ୍ ନ ବାଜିବା ତଟାଞ୍ଚଳବାସୀଙ୍କୁ ଭ୍ରମିତ କରିଥିଲା । ଏଯାଏ ତା’ର ମଧ୍ୟ ସମାଧାନ ହୋଇପାରିନାହିଁ । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ ପରିଡାଙ୍କୁ ପଚାରିବାରୁ ସେ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ସହିତ ସରଞ୍ଜାମ ଠିକ୍ ଅବସ୍ଥାରେ ଅଛି ବୋଲି କହିଛନ୍ତି ା ଯେଉଁଠାରେ ରକ୍ଷଣାବେକ୍ଷଣ ଆବଶ୍ୟକ ରହିଛି ତାହା ତୁରନ୍ତ କରାଯିବ। ତେବେ ଏନେଇ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାହା ପାଳନ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ା