Categories: ଖେଳ

ଡ୍ରାଗ୍‌ ଫ୍ଲିକ୍‌ ଓ ଗୋଲକିପିଂ କୋଚ୍‌ ନିଯୁକ୍ତି ଉପରେ ଦିଲୀପଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩।୧୨ (କ୍ରୀଡ଼ା ପ୍ରତିନିଧି): ଅନେକ ସମୟରେ ଦେଖାଯାଏ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ହକି ଦଳ ଭଲ ସ୍ଥିତିରେ ଥାଇ ମଧ୍ୟ ଶେଷ ମୁହୂର୍ତ୍ତ ଗୋଲବରଣ ଯୋଗୁ ପରାଜିତ ହୋଇଥାଏ। ପେନାଲ୍ଟି କର୍ନରରୁ ଗୋଲ କରିବାରେ ମଧ୍ୟ ଦଳ ଅନେକ ସମୟରେ ଅସଫଳ ରହିଥାଏ। ଏହାକୁ ନେଇ ଅନେକ ତର୍କ ବିତର୍କ, ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ଆଞ୍ଚଳିକ ସ୍ତରରେ ଏବଂ ଜାତୀୟ ସ୍ତରରେ ମଧ୍ୟ ସମାନ ଅବସ୍ଥା। କେତେବେଳେ ରକ୍ଷଣଭାଗରେ ତ୍ରୁଟି ରହିଥାଏ ତ ଆଉ କେତେବେଳେ ଗୋଲକିପରଙ୍କ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ଗୋଲ ଆସିଥାଏ। ଏ ସବୁ ଦୀର୍ଘ ବର୍ଷର ସମସ୍ୟା ହୋଇଥିଲେ ହେଁ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ହକି ଇଣ୍ଡିଆର ନୂଆ ସଭାପତି ଦିଲୀପ ତିର୍କୀ। ତୃଣମୂଳ ସ୍ତରରୁ କିପରି ହକିର ବିକାଶ ହୋଇପାରିବ ତା’ ଉପରେ ସେ ଫୋକସ କରୁଛନ୍ତି। ଭାରତର ସମସ୍ତ ହକି ଏକାଡେମି, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଜଣେ ଲେଖାଏ ଡ୍ରାଗ୍‌ ଫ୍ଲିକର କୋଚ୍‌ ଓ ଗୋଲକିପର କୋଚ୍‌ ରହିବେ ବୋଲି ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମିକୁ ଚିଠି ଲେଖିଛନ୍ତି ଦିଲୀପ। ଦେଶର ଖେଳାଳିମାନେ ୧୬ ବର୍ଷ ବୟସରୁ କିପରି ଉଚିତ ଟ୍ରେନିଂ ନେଇପାରିବେ ସେଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।
ଡ୍ରାଗ୍‌ ଫ୍ଲିକର ଓ ଗୋଲକିପିଂ ବିଭାଗ ଆଧୁନିକ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରୁ କିଭଳି ହକିକୁ ମଜଭୁତ କରାଯିବ ଏବଂ ହକିକୁ କିପରି ଦେଶର ଅଧିକ ବାଳିକା ବାଳକ କ୍ୟାରିୟର କରିବାକୁ ଆଗେଇ ଆସିବେ ତା’ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବିଶ୍ୱର ଯେତୋଟି ଶ୍ରେଷ୍ଠ ହକି ଦଳ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍‌ ଫ୍ଲିକର ରହିଛନ୍ତି। ତା’ର କାରଣ ହେଲା ସେମାନେ ସବ୍‌ଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକିଂ ପାଇଁ ସ୍ବତନ୍ତ୍ର ଟ୍ରେନିଂ ନେଉଛନ୍ତି। ସେହିପରି ସବ୍‌ଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଟିମ୍‌ ପାଖରେ ସ୍ବତନ୍ତ୍ର ଗୋଲକିପିଂ କୋଚ୍‌ ରହିଛନ୍ତି। ଭାରତୀୟ ହକିର ପୂର୍ବ ଗୌରବ ଫେରାଇ ଆଣିବାକୁ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପର ଏହା ଏକ ଅଂଶବିଶେଷ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

Share